ଇଣ୍ଟରନେଟ୍ ବ୍ୟବହାର ପିଲାମାନଙ୍କ ମୌଳିକ ଅଧିକାର: ସୁପ୍ରିମକୋର୍ଟଙ୍କ ବଡ଼ ରାୟ
‘ଅନଲାଇନ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ କଟକଣା ଉପଯୁକ୍ତ ନୁହେଁ’
ନୂଆଦିଲ୍ଲୀ, ୧୭/୧୦: ପିଲାମାନଙ୍କ ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ ବ୍ୟବହାର ନେଇ ଐତିହାସିକ ରାୟ ଦେଇଛନ୍ତି। ଇଣ୍ଟରନେଟ୍ ଉପଲବ୍ଧ ଓ ଏହାର ବ୍ୟବହାର ସମ୍ବିଧାନର ମୌଳିକ ଅଧିକାର ବୋଲି ବି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ କହିଛନ୍ତି, ବର୍ତ୍ତମାନର ଆଧୁନିକ ଯୁଗରେ ଇଣ୍ଟରନେଟ୍ କେବଳ ଏକ ସୁବିଧା ନୁହେଁ, ବରଂ ଏହା ନାଗରିକଙ୍କର ମୌଳିକ ଅଧିକାର। ଇଣ୍ଟରନେଟ୍ର ସୁବିଧା ପାଇବା ଏବଂ ଏହାର ବ୍ୟବହାର କରିବା ଭାରତୀୟ ସମ୍ବିଧାନ ଅନ୍ତର୍ଗତ ଅନୁଚ୍ଛେଦ ୧୯ (ଭାବପ୍ରକାଶ ଓ ସ୍ୱାଧୀନତା) ଏବଂ ଅନୁଚ୍ଛେଦ ୨୧ (ଜୀବନ ଧାରଣ ଓ ବ୍ୟକ୍ତିଗତ ସ୍ୱାଧୀନତା) ଅଧୀନରେ ଏକ ମୌଳିକ ଅଧିକାର।
ଏହି ଅଧିକାର କେବଳ ବୟସ୍କଙ୍କ ମଧ୍ୟରେ ସୀମିତ ନୁହେଁ। କୋର୍ଟ କହିଛନ୍ତି ଯେ ପିଲାମାନଙ୍କ ସମେତ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଇଣ୍ଟରନେଟ୍ ବ୍ୟବହାର କରିବାର ଅଧିକାର ରହିଛି। ଶିକ୍ଷା, ଜ୍ଞାନ ଆହରଣ ଓ ବ୍ୟକ୍ତିଗତ ବିକାଶ ପାଇଁ ପିଲାମାନଙ୍କ ପାଇଁ ଇଣ୍ଟରନେଟ୍ର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଅନେକ ସମୟରେ ପିଲାଙ୍କ ସୁରକ୍ଷା ନାଁରେ ସେମାନଙ୍କ ସ୍ୱାଧୀନତା ବ୍ୟାହତ କରାଯାଇଥାଏ। ଏହା ଉପରେ କୋର୍ଟ ଗୁରୁତ୍ୱ ଦେଇ କହିଛନ୍ତି ଯେ, ଆମ ପିଲାମାନଙ୍କର ସୁରକ୍ଷା ଏବଂ ସ୍ୱାଧୀନତା ପରସ୍ପର ବିରୋଧୀ ନୁହଁନ୍ତି। ସୁରକ୍ଷା ଦେବା ନାଁରେ ସେମାନଙ୍କ ସ୍ୱାଧୀନତା ବା ଇଣ୍ଟରନେଟ୍ ବ୍ୟବହାରରୁ ବଞ୍ଚିତ କରାଯାଇପାରିବ ନାହିଁ।
ପିଲାମାନଙ୍କୁ ଇଣ୍ଟରନେଟ୍ରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ବଦଳରେ ସେମାନଙ୍କୁ ଏକ ସୁରକ୍ଷିତ ପରିବେଶ ଯୋଗାଇଦେବା ଆବଶ୍ୟକ। ଏଥିପାଇଁ ସୁପ୍ରିମକୋର୍ଟ ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ସେମାନଙ୍କ ଆକାଉଣ୍ଟରେ ‘ଚାଇଲ୍ଡ ମୋଡ୍’ ଭଳି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଯାହାଦ୍ୱାରା ପିଲାମାନେ ଅନୁପଯୁକ୍ତ ବା ଅଶ୍ଳୀଳ ବିଷୟବସ୍ତୁରୁ ଦୂରେଇ ରହିପାରିବେ। ସାଇବର ଅପରାଧ ଓ ଅନଲାଇନ୍ ଶୋଷଣରୁ ସେମାନଙ୍କୁ ସୁରକ୍ଷିତ ରଖାଯାଇପାରିବ। ପିଲାମାନେ ନିରାପଦ ଭାବେ ଶିକ୍ଷଣୀୟ ଓ ଉପଯୋଗୀ ଜ୍ଞାନ ଆହରଣ କରିପାରିବେ।