ଦଶପଲ୍ଲା ଏନ୍ଏସିରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ପ୍ରଥମ କରି ସହାୟତା ପାଇ ହିତାଧିକାରୀଙ୍କ ମୁହଁରେ ହସ

ଦଶପଲ୍ଲା, ୧୮/୦୭: ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସହରାଞ୍ଚଳ ନୂତନ ଭାବେ ମଞ୍ଜୁରୀପ୍ରାପ୍ତ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରାଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦଶପଲ୍ଲା ଏନ୍ଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକ, କାଉନ୍ସିଲର ପ୍ରମୁଖ ଯୋଗ ଦେଇଥିଲେ। ଏଥିସହ ବିଭାଗୀୟ କର୍ମଚାରୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୂଚନା ଅନୁଯାୟୀ, ଚଳିତ ପର୍ଯ୍ୟାୟରେ ମୋଟ ୬୬ ଜଣ ନୂତନ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଏହି ସରକାରୀ ସହାୟତା ପ୍ରଦାନ କରାଯାଇଛି। ଏଥିମଧ୍ୟରେ ସହରର ବିଧବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଶ୍ରେଣୀର ବ୍ୟକ୍ତି ବିଶେଷ ସାମିଲ ଅଛନ୍ତି। ପ୍ରଥମ ଥର ପାଇଁ ସରକାରୀ ଭତ୍ତା ପାଇଥିବାରୁ ହିତାଧିକାରୀମାନେ ନିଜର ଭାବପ୍ରବଣତା ପ୍ରକାଶ କରିବା ସହ ପ୍ରଶାସନ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।