ଆଜିର ତାରିଖ ୧୯ ଜୁଲାଇ ୨୦୨୬
ଆନ୍ତର୍ଜାତୀୟ ରିଟେନର ଦିବସ:- ପ୍ରତିବର୍ଷ ଜୁଲାଇ ୧୯ ତାରିଖରେ ଆନ୍ତର୍ଜାତୀୟ ରିଟେନର ଦିବସ (International Retainer Day) ପାଳନ କରାଯାଏ। ଅର୍ଥୋଡଣ୍ଟିକ୍ ଚିକିତ୍ସା (ଦାନ୍ତ ସାଇଜ କରିବା ବା ବ୍ରେସେସ୍ ପିନ୍ଧିବା) ପରେ ଦାନ୍ତକୁ ପୁଣି ପୂର୍ବ ସ୍ଥାନକୁ ଖସିଯିବାରୁ ରୋକିବା ଏବଂ ସୁନ୍ଦର ହସକୁ ସୁରକ୍ଷିତ ରଖିବା ପାଇଁ ରିଟେନର (Retainer) ପିନ୍ଧିବାର ଗୁରୁତ୍ୱକୁ ଏହି ଦିନ ବୁଝାଯାଇଥାଏ। ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦାନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜର ରିଟେନର ନିୟମିତ ପିନ୍ଧିବାକୁ ଲୋକଙ୍କୁ ସଚେତନ କରାଯାଏ। ବ୍ରେସେସ୍ ଖୋଲିବା ପରେ ଦାନ୍ତକୁ ସେହି ସ୍ଥିର ଅବସ୍ଥାରେ ରଖିବାରେ ରିଟେନର ସହାୟକ ହୋଇଥାଏ। ଦାନ୍ତ ସହିତ ରିଟେନରକୁ ମଧ୍ୟ ସାବୁନ୍ ବା ଉଷୁମ ପାଣିରେ କିପରି ସଫା ଏବଂ ସୁରକ୍ଷିତ ରଖାଯିବ, ତାହା ଶିକ୍ଷା ଦିଆଯାଏ।
ଦାନ୍ତକୁ ସିଧା ରଖିବା ପାଇଁ ଆମେରିକୀୟ ଅର୍ଥୋଡଣ୍ଟିଷ୍ଟ ଚାର୍ଲ୍ସ ଏ. ହାୱଲେ (Charles A. Hawley) ୨୦ ଶତାବ୍ଦୀର ପ୍ରାରମ୍ଭରେ ଆଧୁନିକ ରିଟେନର ଉଦ୍ଭାବନ କରିଥିଲେ।ଇନଭିଜାଲାଇନ୍ (Invisalign) କମ୍ପାନୀ ସହଯୋଗରେ ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଏହି ଦିନ ପାଳନ କରାଯାଇଥିଲା।
୧. ମଙ୍ଗଳ ପାଣ୍ଡେ (ଜନ୍ମ- ୧୮୨୭)
୧୮୫୭ ମସିହାର ଭାରତୀୟ ବିଦ୍ରୋହର ପ୍ରଥମ ସ୍ଫୁଲିଙ୍ଗ ପ୍ରଜ୍ଜ୍ୱଳିତ କରିଥିବା ସୈନିକ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ୩୪ତମ ବେଙ୍ଗଳ ନେଟିଭ ଇନ୍ଫାଣ୍ଟ୍ରି ରେଜିମେଣ୍ଟର ସୈନିକ ଥିଲେ। ତାଙ୍କ ଜୀବନୀ ଏବଂ କାର୍ଯ୍ୟ ଅନେକ ଫିଲ୍ମରେ ଚିତ୍ରିତ ହୋଇଛି। ଭାରତ ସରକାର ୧୯୮୪ରେ ତାଙ୍କ ସ୍ମୃତିରେ ଡାକ ଟିକଟ ପ୍ରକାଶ କରିଥିଲେ।
୨. ବଳାଇ ଚନ୍ଦ୍ର ମୁଖୋପାଧ୍ୟାୟ (ଜନ୍ମ- ୧୮୯୯) ବିଖ୍ୟାତ ବଙ୍ଗଳୀ ଔପନ୍ୟାସିକ, ଛୋଟ ଗଳ୍ପକାର, ନାଟ୍ୟକାର, କବି ଏବଂ ଡାକ୍ତର। ସେ ପଦ୍ମ ଭୂଷଣ ପ୍ରାପ୍ତ ପାଇଥିଲେ।
୩. ନଳପତ୍ ବାଲମଣି ଅମ୍ମା (ଜନ୍ମ- ୧୯୦୯) ମାଲାୟାଲମ ଭାଷାର ପ୍ରସିଦ୍ଧ କବୟିତ୍ରୀ। ପଦ୍ମ ଭୂଷଣ, ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଏଜୁଥଚନ ପୁରସ୍କାର ପାଇଥିଲେ। କେରଳର ପ୍ରସିଦ୍ଧ ସାହିତ୍ୟିକ ପରିବାର ସହିତ ଜଡ଼ିତ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ପ୍ରତାପ ସିଂହ ରାଓ ଗାୟକୱାଡ୍ (ମୃତ୍ୟୁ–୧୯୬୮) ବରୋଦାର ଶେଷ ଶାସକ ମହାରାଜା (୧୯୩୯)। ଗାୟକୱାଡ୍ ବଂଶର ସଦସ୍ୟ। ତାଙ୍କ ପିତାମହ ସୟାଜୀ ରାଓ ଗାୟକୱାଡ୍ IIIଙ୍କ ଇଚ୍ଛା ଅନୁଯାୟୀ ମହାରାଜା ସୟାଜୀ ରାଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ (୧୯୪୯)। ୧୯୪୭ରେ ବରଞଦା ଭାରତ ସହ ମିଶିଥିଲା ଏବଂ ୧୯୫୧ରେ ସରକାରଙ୍କ ଦ୍ୱାରା ତାଙ୍କୁ ପଦବୀରୁ ହଟାଯାଇଥିଲା। ପରେ ଇଉରୋପର ମୋନାକୋରେ ଯାଇ ରହିଥିଲେ।
୨. ଗୋପାଲଦାସ ନୀରଜ (ମୃତ୍ୟୁ–୨୦୧୮) ପ୍ରସିଦ୍ଧ ହିନ୍ଦୀ କବି, ସାହିତ୍ୟିକ, ଶିକ୍ଷକ ଏବଂ ଫିଲ୍ମ ଗୀତ ଲେଖକ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୮୪୮: ଆମେରିକାରେ ପ୍ରଥମ ମହିଳା ଅଧିକାର ସମ୍ମିଳନୀ ଭାବରେ ପରିଚିତ ‘ସେନେକା ଫଲ୍ସ କନଭେନସନ’ ନ୍ୟୁୟର୍କଠାରେ ଆରମ୍ଭ ହୋଇଥିଲା।
୧୮୫୪: ସାର୍ ଚାର୍ଲ୍ସ ଉଡ୍ଙ୍କ ଦ୍ୱାରା ଲର୍ଡ ଡେଲହାଉସିଙ୍କୁ “ଉଡ୍ସ ଡିସପାଚ୍” (Wood’s Dispatch) ନାମକ ଏକ ଐତିହାସିକ ଦଲିଲ୍ ପଠାଯାଇଥିଲା, ଯାହାଔପନିବେଶିକ ଭାରତରେ ଆଧୁନିକ ଶିକ୍ଷାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା।
୧୯୦୦: ପ୍ୟାରିସ୍ ୱାର୍ଲ୍ଡ ଫେୟାର୍ (ବିଶ୍ୱ ମେଳା) ଅବସରରେ ପ୍ୟାରିସ୍ ମେଟ୍ରୋର ପ୍ରଥମ ଲାଇନ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା।
୧୯୦୩: ସର୍ବପ୍ରଥମ ଟୁର୍ ଡି ଫ୍ରାନ୍ସ (Tour de France) ସାଇକେଲ ରେସ୍ ସମାପ୍ତ ହୋଇଥିଲା, ଯେଉଁଥିରେ ମୋରିସ୍ ଗାରିନ୍ ପ୍ରଥମ ବିଜେତା ହେବାର ଗୌରବ ହାସଲ କରିଥିଲେ।
୧୯୫୨: ହେଲସିଙ୍କିଠାରେ ଅଲିମ୍ପିକ ଗେମ୍ସ ଉଦ୍ଘାଟିତ ହୋଇଥିଲା, ଯାହା ଇତିହାସରେ ପ୍ରଥମ ଥର ପାଇଁ ସୋଭିଏତ ସଂଘର ଅଲିମ୍ପିକ ଅଂଶଗ୍ରହଣ ପାଇଁ ଉଲ୍ଲେଖନୀୟ ଥିଲା।
୧୯୬୯: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ୧୪ଟି ବଡ଼ ବାଣିଜ୍ୟିକ ବ୍ୟାଙ୍କର ଜାତୀୟକରଣ କରିଥିଲେ, ଯାହା ରାଷ୍ଟ୍ର-ନିୟନ୍ତ୍ରିତ ବ୍ୟାଙ୍କିଙ୍ଗ ଏବଂ ଅର୍ଥନୈତିକ ସମାଜବାଦ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଥିଲା।
୧୯୭୪: ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଉଧମ ସିଂହଙ୍କ ପାର୍ଥିବ ଶରୀର ଓ ଚିତାଭସ୍ମକୁ ଲଣ୍ଡନରୁ ପୁଣି ନୂଆଦିଲ୍ଲୀ ଫେରାଇ ଅଣାଯାଇଥିଲା।