ନୂଆଦିଲ୍ଲୀ, ୧୩/୦୯: ୨୦୦୧ ମସିହାରେ ଆମେରିକାରେ ୯/୧୧ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଆଲ୍-କାଏଦା ମୁଖିଆ ଓସାମା ବିନ୍ ଲାଡେନ୍ ଭାରତକୁ ମଧ୍ୟ ନିଜର ଟାର୍ଗେଟ୍ ଲିଷ୍ଟରେ ରଖିଥିଲା। ଆମେରିକାର ଗୁପ୍ତଚର ସଂସ୍ଥା CIA (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି) ଦ୍ୱାରା ନିକଟରେ ପ୍ରକାଶିତ ଗୋପନୀୟ ଦଲିଲରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।
୯/୧୧ ଆକ୍ରମଣର ୨୫ ବର୍ଷ ପୂର୍ତ୍ତି ଅବସରରେ CIA ପ୍ରାୟ ୭୧ଟି ‘ପ୍ରେସିଡେଣ୍ଟସ୍ ଡେଲି ବ୍ରିଫ୍’ ଏବଂ ୧୦୦ରୁ ଅଧିକ ପୃଷ୍ଠାର ସଂଗୃହିତ ଗୁପ୍ତଚର ରିପୋର୍ଟ ସାର୍ବଜନୀନ କରିଛି।
୨୮ ଅଗଷ୍ଟ ୧୯୯୮ରେ ପ୍ରସ୍ତୁତ କରାଯାଇଥିବା ଏକ ଗୁପ୍ତଚର ମେମୋ ଅନୁଯାୟୀ, ଆଫଗାନିସ୍ତାନରେ ଆମେରିକାର ମିସାଇଲ୍ ଆକ୍ରମଣରୁ ବଞ୍ଚିବା ପରେ ଲାଡେନ୍ ଭାରତ, ପାକିସ୍ତାନ, ଇଜିପ୍ଟ, ସାଉଦି ଆରବ, ୟେମେନ୍, କୁୱେତ୍, ଉଗାଣ୍ଡା ଏବଂ ନାଇଜେରିଆ ଭଳି ଦେଶଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲା।
ରିପୋର୍ଟ ଅନୁଯାୟୀ, ଲାଡେନ୍ ନିଜର ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପାକିସ୍ତାନ ଆଧାରିତ ଆତଙ୍କବାଦୀ ସଂଗଠନ ‘ହରକତ୍-ଉଲ୍-ମୁଜାହିଦୀନ୍’ (HUM) ଏବଂ ‘ହରକତ୍-ଉଲ୍-ଅନସାର’ ସହ ମିଶି କାମ କରୁଥିଲା।
CIA ଦଲିଲରେ ଦର୍ଶାଯାଇଛି ଯେ ଆଫଗାନିସ୍ତାନରେ ତାଲିବାନ୍ ଲାଡେନକୁ ସୁରକ୍ଷା ଦେଉଥିଲା ଏବଂ ପାକିସ୍ତାନୀ ସୀମା ଦେଇ ଆତଙ୍କବାଦୀଙ୍କ ଯାତାୟାତ ଉପରେ କିଛି କଟକଣା ଲଗାଯାଇଥିଲେ ହେଁ ତାହାର ନେଟୱାର୍କ ସକ୍ରିୟ ରହିଥିଲା।
ସେହି ସମୟରେ ଆମେରିକା ପାଖରେ ଲାଡେନର ଭାରତ ବିରୋଧୀ ଯୋଜନା ବିଷୟରେ ସୂଚନା ଥିଲା। ମାତ୍ର, ସେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ପରୀକ୍ଷଣ ପରବର୍ତ୍ତୀ ଉତ୍ତେଜନା କମ୍ କରିବା ଉପରେ ଆମେରିକା ଅଧିକ ଧ୍ୟାନ ଦେଉଥିବାରୁ, ଏହି ଆତଙ୍କବାଦୀ ଚେତାବନୀଗୁଡ଼ିକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇପାରି ନଥିଲା।
ସୂଚନାଯୋଗ୍ୟ, ଅଲ୍-କାଏଦାର ୧୯ ଜଣ ଆତଙ୍କବାଦୀ ୪ଟି ଯାତ୍ରୀବାହୀ ବିମାନ ଅପହରଣ କରି ଆମେରିକାର ମୁଖ୍ୟ ସ୍ଥାନଗୁଡ଼ିକରେ ଆକ୍ରମଣ କରିଥିଲେ। ନ୍ୟୁୟର୍କ ସହରରେ ଥିବା ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରର ଦୁଇଟି ବିଶାଳ ଟାୱାରରେ ପିଟି ହୋଇଥିଲା ଦୁଇଟି ବିମାନ, ଯାହା ଫଳରେ ଟାୱାର ଦୁଇଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।
ସେହିପରି ଭର୍ଜିନିଆ ରାଜ୍ୟରେ ଅବସ୍ଥିତ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ‘ପେଣ୍ଟାଗନ’ ଉପରେ ଆଲ୍-କାଏଦାର ଆତଙ୍କବାଦୀମାନେ ଅପହୃତ ତୃତୀୟ ବିମାନ ‘ଆମେରିକାନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୭୭’କୁ ପିଟି ଦେଇଥିଲେ।
ଆତଙ୍କବାଦୀମାନେ ଅପହରଣ କରିଥିବା ୪ର୍ଥ ବିମାନ ‘ୟୁନାଇଟେଡ୍ ଏୟାରଲାଇନ୍ସ ଫ୍ଲାଇଟ୍ ୯୩’ କୁ ୱାଶିଂଟନ୍ ଡି.ସି. ର କୌଣସି ଗୁରୁତ୍ୱପୂର୍ଣ୍ଣ ସରକାରୀ ଭବନ (ଯେପରିକି ସଂସଦ/କ୍ୟାପିଟଲ୍ କିମ୍ବା ହ୍ୱାଇଟ୍ ହାଉସ୍) ରେ ପିଟିବାକୁ ଯୋଜନା କରିଥିଲେ। ମାତ୍ର ବିମାନରେ ଥିବା ଯାତ୍ରୀମାନେ ସାହସର ସହ ଆତଙ୍କବାଦୀଙ୍କ ସହ ଲଢ଼ି ବିମାନଟିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ବିମାନଟି ଶାଙ୍କସଭିଲ୍ର ଏକ ଖୋଲା ପଡ଼ିଆରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା।
ଏହି ଆକ୍ରମଣରେ ମୋଟ ୨,୯୭୭ ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିଲା। କେବଳ ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ହୋଇଥିବା ଆକ୍ରମଣରେ ୨୭୫୩ ଜଣଙ୍କର ମୃତ୍ୟୁ ହୋଇଥିଲା। ପେଣ୍ଟାଗନରେ ହୋଇଥିବା ଆକ୍ରମଣରେ ୧୮୪ ଜଣ ଏବଂ ଶାଙ୍କସଭିଲ୍ ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା।