ଭାରତ ମଣ୍ଡପମ୍‌ରେ ମୋଦି-ଜିନ୍‌ପିଙ୍ଗ୍ ଦ୍ବିପାକ୍ଷିକ ବୈଠକ

ଉଭୟ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ, ୧୨/୦୯: ନୂଆଦିଲ୍ଲୀସ୍ଥିତ ପ୍ରସିଦ୍ଧ ‘ଭାରତ ମଣ୍ଡପମ୍‌’ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏକ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନର ବ୍ୟବଧାନ ପରେ ଅନୁଷ୍ଠିତ ଏହି ଆଲୋଚନାରେ ଦୁଇ ଦେଶର ରାଷ୍ଟ୍ରନେତା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଆଞ୍ଚଳିକ, ଆନ୍ତର୍ଜାତୀୟ ଏବଂ ଦ୍ବିପାକ୍ଷିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି।

ବୈଠକର ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଆଗମନ ପାଇଁ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ହାର୍ଦ୍ଦିକ ସ୍ବାଗତ ଜଣାଇଥିଲେ। ବ୍ରିକ୍ସ ଶିଖର ସମ୍ମିଳନୀରେ ଚୀନ୍‌ର ସକାରାତ୍ମକ ମନ୍ତବ୍ୟ ଏବଂ ଭାରତର ସଫଳ ଅଧ୍ୟକ୍ଷତାକୁ ଜିନ୍‌ପିଙ୍ଗ୍‌ ଖୋଲାଖୋଲି ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ବିଶେଷ କୃତଜ୍ଞତା ଜଣାଇଥିଲେ।

ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବାରୋପ କରି କହିଥିଲେ ଯେ, “ଭାରତ-ଚୀନ୍ ସମ୍ପର୍କ କେବଳ ଦୁଇଟି ଦେଶ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ବର ଶାନ୍ତି ଓ ସ୍ଥିରତା ପାଇଁ ଅତ୍ୟନ୍ତ ଆବଶ୍ୟକ। ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଦୁଇ ପଡ଼ୋଶୀ ରାଷ୍ଟ୍ର ନିଜ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉଚିତ୍।”

ବୈଠକରେ ଭାରତ-ଚୀନ୍ ନିୟନ୍ତ୍ରଣ ରେଖା (LAC) ଏବଂ ସୀମା ବିବାଦର ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଦୁଇ ନେତା ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ କୂଟନୈତିକ ଏବଂ ସାମରିକ ସ୍ତରୀୟ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ସହମତି ପ୍ରକାଶ କରିଛନ୍ତି।

ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ବାଣିଜ୍ୟିକ କ୍ଷତିକୁ ନିୟନ୍ତ୍ରଣ କରିବା ନେଇ ବୈଠକରେ ଗୁରୁତ୍ବ ଦିଆଯାଇଛି।

ବହୁପାକ୍ଷିକ ମଞ୍ଚ ଯେପରିକି ଜି-୨୦, ବ୍ରିକ୍ସ, ଏବଂ ସାଂଘାଇ ସହଯୋଗ ସଂଗଠନ (SCO) ଭଳି ବିଶ୍ବସ୍ତରୀୟ ମଞ୍ଚଗୁଡ଼ିକରେ ବୃହତ୍ ବିକାଶଶୀଳ ଦେଶ ଭାବେ ମିଳିମିଶି କାର୍ଯ୍ୟ କରିବାକୁ ଦୁଇ ନେତା ଆଶା ବ୍ୟକ୍ତ କରିଛନ୍ତି।

ଏହି ଦ୍ବିପାକ୍ଷିକ ବୈଠକ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ସମ୍ପର୍କକୁ ପୁନର୍ବାର ସ୍ବାଭାବିକ କରିବା ଏବଂ ଆଗାମୀ ଦିନରେ ନୂଆ ଆଶାର ସଞ୍ଚାର କରିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ।

ସୂଚନାଯୋଗ୍ୟ, ୨୦୨୦ରେ ଗଲୱାନ ସଂଘର୍ଷ ପରେ ଉଭୟ ରାଷ୍ଟ୍ର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ପ୍ରଥମ କରି ଉଭୟ ରାଷ୍ଟ୍ର ମଧ୍ୟରେ ଏହି ବଡ଼ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି।