ଗୌହାଟୀ, ୨୨/୦୭: ବର୍ଷା ଆଣିଲା ବନ୍ୟା। ବନ୍ୟାରେ ଅସ୍ତବ୍ୟସ୍ତ ଜନଜୀବନ। ମାତ୍ର ୨୪ ଘଣ୍ଟାରେ ଗଲାଣି ୨୧ ଜୀବନ। ଆସାମରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟାସ୍ଥିତି। ୫.୬ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।
ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ହେଉଛି ଆସାମର ଶିବସାଗର। ଦିଖୋ ନଦୀର ଜଳସ୍ତର ବୃଦ୍ଧି ପାଇବା ଦ୍ୱାରା ଏହା ସମ୍ପୂର୍ଣ୍ଣ ବୁଡ଼ିଯିବା ପରିସ୍ଥିତିରେ ଅଛି। ସୋମବାର କେବଳ ଶିବସାଗରରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି।
ପଡ଼ୋଶୀ ଜିଲ୍ଲା ଚରାଇଦେଓ ଏବଂ ଜୋରହାଟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଲାଘାଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ଏତେ ବଡ଼ ସଂଖ୍ୟାରେ ମୃତ୍ୟୁ ଘଟି ଚଳିତ ବର୍ଷର ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୩୧ ରେ ପହଞ୍ଚିଛି। ମାତ୍ର ୨୪ ଘଣ୍ଟାରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି।
ପରିସ୍ଥିତି ଖରାପ ହେଉଥିବାରୁ, ବର୍ତ୍ତମାନ ସାତଟି ଜିଲ୍ଲାର ୧୨,୨୮୪ ଜଣ ରିଲିଫ୍ ଶିବିରରେ ରହିଛନ୍ତି। ଶିବସାଗରରୁ ୫,୭୬୪ ଜଣ ରିଲିଫ ଶିବିରରେ ଅଛନ୍ତି। ସେଠାରେ ମୋଟ ୬,୧୦୧ ଜଣଙ୍କୁ ଡଙ୍ଗା ସାହାଯ୍ୟରେ ସ୍ଥାନାନ୍ତର କରାଯାଇଛି।
ରବିବାର ଠାରୁ ଆସାମରେ ବିଭିନ୍ନ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଫଳରେ ଉପର ଆସାମର ବିସ୍ତୃତ ଅଞ୍ଚଳ ବନ୍ୟାଗ୍ରସ୍ତ ହୋଇଛି।