ସୁପ୍ରିମକୋର୍ଟଙ୍କ କଡ଼ା ବାଣୀ: ତୁରନ୍ତ ଖୋଲ ମେଟ୍ରୋ ଷ୍ଟେସନ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ, ୨୩/୦୭: ଆଜି ଜୁଲାଇ ୨୩ ଅପରାହ୍ଣ ସୁଦ୍ଧା ମେଟ୍ରୋ ଷ୍ଟେସନ୍ ଖୋଲା ନ ଗଲେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରିବେ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କଡ଼ା ତାଗିଦ ଦେଇଛନ୍ତି। କକ୍ରୋଚ୍ ଜନତା ପାର୍ଟିର ଛାତ୍ର ଆନ୍ଦୋଳନ ଯୋଗୁଁ ଦିଲ୍ଲୀର ଅନେକ ମେଟ୍ରୋ ଷ୍ଟେସନ୍ ବନ୍ଦ ରହିବା ଯୋଗୁଁ ସୁପ୍ରିମକୋର୍ଟ ଏହି କଡ଼ା ବାଣୀ ଶୁଣାଇଛନ୍ତି।

ଜନ୍ତରମନ୍ତରରେ NEET-UG ପେପର ଲିକ୍ ଓ ଅନ୍ୟାନ୍ୟ ପରୀକ୍ଷା ଅନିୟମିତତା ବିରୋଧରେ ଜନ୍ତରମନ୍ତରରେ ଆନ୍ଦୋଳନ କରୁଛି ସିଜେପି। ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛି। ସୁରକ୍ଷା କାରଣରୁ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (DMRC) ଗତକାଲି ଓ ଆଜି ମଧ୍ୟ ୧୬ଟି ଷ୍ଟେସନ୍ ବନ୍ଦ ରଖିଛି। ଏଥିରେ ସୁପ୍ରିମକୋର୍ଟ, ରାଜୀବ ଚୌକ୍, ପଟେଲ୍ ଚୌକ୍, ସେଣ୍ଟ୍ରାଲ୍ ସେକ୍ରେଟାରିଏଟ୍, ଜନପଥ୍, ମଣ୍ଡି ହାଉସ୍, ITO, ଖାନ୍ ମାର୍କେଟ୍ ଆଦି ଅନ୍ତର୍ଭୁକ୍ତ। ଟ୍ରେନ୍ ଚାଲୁ ରହିଥିବା ସତ୍ତ୍ୱେ ଏହି ଷ୍ଟେସନ୍‌ଗୁଡ଼ିକରେ ଏଣ୍ଟ୍ରି-ଏଗ୍ଜିଟ୍ ବନ୍ଦ ରହିଛି।

ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ସଭାପତି ବିକାସ୍ ସିଂହ ଏହି ସମସ୍ୟାକୁ ଉଠାଇଥିଲେ। ଓକିଲ, କୋର୍ଟ କର୍ମଚାରୀ, ଲିଟିଗେଣ୍ଟ୍ ଓ ରେଜିଷ୍ଟ୍ରି ଅଧିକାରୀଙ୍କୁ ଅସୁବିଧା ହେଉଥିବାରୁ ଏହି ପ୍ରସଙ୍ଗ ଉଠାଯାଇଥିଲା।

CJI କହିଛନ୍ତି ଯେ ସୁପ୍ରିମକୋର୍ଟ ପ୍ରଶାସନ ପୂର୍ବରୁ ସମ୍ପୃକ୍ତ ଅଧିକାରୀଙ୍କ ସହ କଥା ହୋଇଛି। ଯଦି ଅପରାହ୍ନ ସୁଦ୍ଧା ଷ୍ଟେସନ୍ ଖୋଲା ନ ଯାଏ, ତେବେ ସେ ନିଜେ ହସ୍ତକ୍ଷେପ କରିବେ ଏବଂ ଆବଶ୍ୟକ ହେଲେ ଜୁଡିସିଆଲ୍ ପ୍ରକ୍ରିୟାରେ ନେବେ ବୋଲି ସ୍ପଷ୍ଟ କରିଛନ୍ତି।