ପ୍ରକୃତିର‌ କରାଳ ରୂପ: ଶତାଧିକ ଲୋକଙ୍କ ପ୍ରାଣହାନୀ

ଲକ୍ଷାଧିକ ଲୋକ ବେସାହାରା, ଚାଲିଛି ଜୀବନ ସହ ସଂଗ୍ରାମ

ନୂଆଦିଲ୍ଲୀ: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସର୍ବ ନାଶ। ସାରା ଭାରତରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଲାଣି। କେବଳ ଭାରତ ନୁହେଁ, ବରଂ ବାଂଲାଦେଶ, ଚୀନ, ପାକିସ୍ତାନ, ଆଫଗାନିସ୍ତାନ, ଭିଏତନାମ, ଦକ୍ଷିଣ କୋରିଆ ଭଳି ଦେଶରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ବର୍ଷା ଯେ କେତେ ଭୟଙ୍କର ବିପର୍ଯ୍ୟୟ ଆଣିପାରେ, ତାହା ଏବେ ସ୍ବଚକ୍ଷୁରେ ଦେଖିବାକୁ ମିଳୁଛି। କୁଟା କାଠି ପରି ଭାସି ଯାଉଛନ୍ତି ମଣିଷ ଓ ଜୀବଜନ୍ତୁ। ଅନେକ ସ୍ଥାନରେ ମୃତ୍ୟୁ ସଂଖ୍ୟା ବଢ଼ିବାକୁ ଲାଗୁଛି। ଶହ ଶହ ସଂଖ୍ୟାରେ ଜୀବନ ହାନି ହେବା ସହ ଧନ ସମ୍ପତ୍ତି ହାନି ମଧ୍ୟ ହେଉଛି।

ଭାରତରେ ଶତାଧିକ ଲୋକଙ୍କ ବନ୍ୟା ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ଆଫଗାନିସ୍ତାନରେ ୨୦, ପାକିସ୍ତାନରେ ୭ ଓ ଭିଏତନାମରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି।

ଭାରତରେ ଆଗାମୀ ଦିନରେ ଆହୁରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହୋଇପଡ଼ିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଦୁଇଟି ସକ୍ରିୟ ଲଘୁଚାପ ପ୍ରଣାଳୀ ଏବଂ ପଶ୍ଚିମୀ ବିଶୃଙ୍ଖଳାର ମିଳିତ ପ୍ରଭାବରେ ଆଗାମୀ କିଛି ଦିନ ଧରି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ଏବଂ ଝଡ଼ୋ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସମେତ ୧୬ଟି ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗ ସୂଚନା ଦେଇଛି ଯେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଥିବା ବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ ପ୍ରଣାଳୀ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହି ପ୍ରଣାଳୀ ଆହୁରି ଶକ୍ତିଶାଳୀ ହେବାର ଆକଳନ କରାଯାଉଛି। ସେହିପରି ମଧ୍ୟ ଓ ଉପର ଟ୍ରୋପୋସ୍ଫିୟରରେ ସକ୍ରିୟ ପଶ୍ଚିମୀ ବିଶୃଙ୍ଖଳା ଉତ୍ତର ଭାରତରେ ବର୍ଷା ପରିମାଣ ବଢ଼ାଇଛି। ଏହା ପ୍ରଭାବରେ ମୌସୁମୀ ବାୟୁ ପୁଣି ଶକ୍ତିଶାଳୀ ହୋଇଛି।

ଦିଲ୍ଲୀ ପାଇଁ ଆଇଏମଡି ୟେଲୋ ୱାର୍ଣ୍ଣିଂ ଜାରି କରିଛି। ରାଜଧାନୀରେ ୬୪.୫ରୁ ୧୧୫.୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସହ ବଜ୍ରପାତ ଏବଂ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ସମୟରେ ଅନାବଶ୍ୟକ ଯାତ୍ରା ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଉତ୍ତରାଖଣ୍ଡର ବାଗେଶ୍ୱର, ପିଥୋରାଗଡ଼, ନୈନିତାଲ, ଚାମୋଲି, ଆଲମୋରା, ରୁଦ୍ରପ୍ରୟାଗ, ଉଧମ ସିଂହ ନଗର, ପାଉରି ଗଡ଼ୱାଲ ଓ ଚମ୍ପାୱାଟ ସମେତ ବିଭିନ୍ନ ଜିଲ୍ଲାରେ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି। ହିମାଚଳ ପ୍ରଦେଶର ଚମ୍ବା, କାଙ୍ଗଡ଼ା, ମାଣ୍ଡି, ଶିମଲା, ସିରମୌର, ହମିରପୁର, ସୋଲାନ, ବିଳାସପୁର ଓ କୁଲୁରେ ମଧ୍ୟ ଆଗାମୀ ଦୁଇ ଦିନ ବ୍ୟାପକ ବର୍ଷା ହୋଇପାରେ। ଜମ୍ମୁ-କାଶ୍ମୀରର ପୁଲୱାମା, ରାମବାନ, ଜମ୍ମୁ, ପୁଞ୍ଚ, କୁଲଗାମ, ଉଧମପୁର, କାଠୁଆ, ଡୋଡା, ଅନନ୍ତନାଗ, ଗାନ୍ଦେରବଲ ଓ କୁପୱାରାରେ ମଧ୍ୟ ହଳଦିଆ ସତର୍କତା ଜାରି କରାଯାଇଛି।

ଲଗାତାର ବର୍ଷା ଯୋଗୁଁ ଗୁଜୁରାଟରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ରାଜ୍ୟର ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବାରୁ ୪୦,୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅହମଦାବାଦରେ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ରାଜ୍ୟର କେତେକ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଆସାମରେ ମଧ୍ୟ ବନ୍ୟା ପରିସ୍ଥିତି ଚିନ୍ତାଜନକ ରହିଛି। ଗତ ୨୪ ଘଣ୍ଟାରେ ଆଉ ୧୪ ଜଣଙ୍କର ମୃତ୍ୟୁ ଘଟିବା ସହ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି। ୧୨ଟି ଜିଲ୍ଲାରେ ପ୍ରାୟ ୭.୦୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଘର, ରାସ୍ତା ଜଳମଗ୍ନ ରହିଛି। ୫୬ ହଜାର ହେକ୍ଟର ଚାଷଜମି ନଷ୍ଟ ହୋଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ହଜାର ହଜାର ଲୋକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହିଛନ୍ତି।

ତେବେ ଆଗାମୀ ଦିନରେ ଗୁଜୁରାଟ ଓ ଉତ୍ତର ହିମାଳୟ ଅଞ୍ଚଳ ବ୍ୟତୀତ କୋଙ୍କଣ ଓ ଗୋଆ, ମଧ୍ୟ ମହାରାଷ୍ଟ୍ର, ଓଡ଼ିଶା ଓ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଆସାମ, ମେଘାଳୟ, ଗାଙ୍ଗେୟ ପଶ୍ଚିମବଙ୍ଗ, ହରିୟାଣା, ପଞ୍ଜାବ, ଝାଡ଼ଖଣ୍ଡ, କେରଳ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ମଧ୍ୟ ପ୍ରବଳ ବର୍ଷା, ବଜ୍ରପାତ ଓ ଝଡ଼ୋ ପବନ ହୋଇପାରେ। ଏହାଫଳରେ ସ୍ଥାନୀୟ ବନ୍ୟା ଓ ଜନଜୀବନ ବ୍ୟାହତ ହେବାର ଆଶଙ୍କା ଥିବାରୁ ପାଣିପାଗ ବିଭାଗ ସତର୍କ ରହିବାକୁ ପରାମର୍ଶ ଦେଇଛି।