କାର୍ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଜଣେ ଗିରଫ, ମୋବାଇଲ ଜବତ

ଦଶପଲ୍ଲା, ୨୬/୦୭: ଗଞ୍ଜେଇ ଜବତ ସହ ଦଶପଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା | ଦଶପଲ୍ଲା – ଗଣିଆ ରାସ୍ତାର ଘୋଳାହାଣ୍ଡି ଠାରେ ଦଶପଲ୍ଲା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିଳମ୍ବିତ ରାତିରେ ଏକ କାର୍ ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି | ଘଟଣାରେ ଜଣଙ୍କୁ ଗିରଫ କରିଛନ୍ତି | ସୂଚନା ଅନୁଯାୟୀ, ଥାନା ଅଧିକାରୀ ବିନୟ ରଞ୍ଜନ ପରିଡାଙ୍କ ନିର୍ଦ୍ଦେଶକ୍ରମେ ଦଶପଲ୍ଲା ଥାନା ଏସ୍ ଆଇ ଜେ.ସି.ବି. ଦଳେଇ ଓ ଟିମ୍ ଘୋଳାହାଣ୍ଡି ହରିଜନସାହି ଛକ ନିକଟରେ ଏକ ବ୍ରିଜା କାର୍ (ନଂ ଓଡ଼ି ୦୯ ଜେ ୨୪୨୪) କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୯୦ କେଜି ଗଞ୍ଜେଇ ମିଳିଥିଲା। ଘଟଣାରେ ପୁଲିସ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗୁଡ଼ାରୀ ଗ୍ରାମର ସିଦ୍ଧାର୍ଥ ଦିଗାଲ (୨୬)ଙ୍କୁ ଗିରଫ କରିଛନ୍ତି | ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ସହିତ ବ୍ରିଜା କାର୍ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛନ୍ତି | ଏହି ମାମଲାରେ ଦଶପଲ୍ଲା ଥାନା କେସ୍ ନଂ- ୧୯୫/୨୦୨୬, ଅନୁଯାୟୀ ବିଏନ୍ଏସ୍ ର ବିଭିନ୍ନ ଧାରା ଓ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଇନ୍ସପେକ୍ଟର ବି.ଆର. ପରିଡ଼ାଙ୍କ ତତ୍ତ୍ଵାବଧାନରେ ଘଟଣାର ତଦନ୍ତ ଜାରି ରହିଛି |