ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ
ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ
ଦଶପଲ୍ଲା, ୨୬/୦୭: ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ଗୃହ ନିର୍ମାଣ ପାଇଁ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏନ୍ଏସିର ୧୬ ଟି ୱାର୍ଡରୁ ୩୨ ଜଣ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଅନ୍ୟ ହିତାଧିକାରୀଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ଜଣାପଡିଛି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଏନ୍ଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ବିଡିଓ ଶରତ କୁମାର ମଲ୍ଲିକ, ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ର ଶେଖର ବାରିକ, ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶଙ୍କ ସମେତ ୱାର୍ଡ କାଉନ୍ସିଲର, ଏନ୍ଏସିର କର୍ମଚାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।