ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଲେ

ଭୁବନେଶ୍ୱର, ୨୭/୦୭: ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ସୁଶାନ୍ତ ସିଂଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସୁଶାନ୍ତ ସିଂ। ମୃତ୍ୟୁ ବେଳକୁ ମାତ୍ର‌ ୫୩ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ସୁଶାନ୍ତ। ଗତ କାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ସୁଶାନ୍ତଙ୍କ ଭାଇ।

ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ। ୨୦୦୯, ୨୦୧୪, ୨୦୧୯ରେ ତିନି ଥର ଭଟଲି ନିର୍ବାଚନମଣ୍ଡଳୀର ବିଧାୟକ ଥିଲେ। ୨୦୨୪ ବିଧାନସଭା ନିର୍ବାଚନରେ ବିଜେପିର ଇରାଶିଷ ଆଚାର୍ଯ୍ୟଙ୍କ ଠାରୁ ପରାଜୟ ହୋଇଥିଲେ ସୁଶାନ୍ତ।

ତେବେ ପଶ୍ଚିମ ଓଡ଼ିଶାର ସେ ଜଣେ ଟାଣୁଆ ନେତା ଥିଲେ‌। ବିଜେଡ଼ି ସରକାର ସମୟରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମିଳିଥିଲା। ସେ ଶ୍ରମ ଏବଂ ଶକ୍ତି ବିଭାଗ ମନ୍ତ୍ରୀ ଥିଲେ। ତାଙ୍କର ପରଲୋକ ସମ୍ପର୍କରେ ଖବର ମିଳିବା ପରେ ସବୁଠି ଶୋକରେ ଛାୟା ଖେଳିଯାଇଛି।