ଆଜି ରସଗୋଲା ଦିବସ: ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଜଗନ୍ନାଥ

ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୨୭ ଜୁଲାଇ ୨୦୨୬

* ରସଗୋଲା ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ମିଠା। ଏହାକୁ ଜିଆଇ ଟ୍ୟାଗ ମିଳିସାରିଛି। ରସଗୋଲା ଦିବସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ ତିଥିରେ ପାଳନ କରାଯାଏ। ଏହି ଦିନ ମହାପ୍ରଭୁ ରତ୍ନସିଂହାସନକୁ ଫେରିବା ସମୟରେ ମା’ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ରସଗୋଲା ଭେଟି ଦେଇଥାନ୍ତି। ରଥଯାତ୍ରା ଶେଷ ହୋଇ ଶ୍ରୀଜଗନ୍ନାଥ ମନ୍ଦିରକୁ ଫେରିବା ଦିନ (ଆଷାଢ଼ ଶକ୍ଳ ଏକାଦଶୀ) ଏହି ନୀତି ହୁଏ। ଦେବୀ ଲକ୍ଷ୍ମୀ ରଥରେ ଯାତ୍ରାବେଳେ ସାଙ୍ଗରେ ନ ନେବାରୁ ଅଭିମାନ କରି ମନ୍ଦିର ଦ୍ୱାର ବନ୍ଦ କରିଥାନ୍ତି, ଯାହାକୁ ଖୋଲିବାକୁ ମହାପ୍ରଭୁ ରସଗୋଲା ଅର୍ପଣ କରନ୍ତି। ଓଡ଼ିଶାର ଏହି ପାରମ୍ପରିକ ମିଠାର ସ୍ୱାଦ ଓ ସ୍ୱତନ୍ତ୍ରତା ପ୍ରଚାର କରିବାକୁ ୨୦୧୫ ମସିହାରୁ ଏହି ଦିବସ ପାଳନ ହୋଇଆସୁଛି।

* ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ପ୍ରତିଷ୍ଠା ଦିବସ ପ୍ରତିବର୍ଷ ଜୁଲାଇ ୨୭ ତାରିଖରେ ପାଳନ କରାଯାଏ। ଭାରତର ସର୍ବବୃହତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଗଠନକୁ ସ୍ମରଣ କରି ଏହି ଦିବସ ପାଳିତ ହୋଇଥାଏ। ୧୯୩୯ ଜୁଲାଇ ୨୭ରେ ମଧ୍ୟପ୍ରଦେଶର ନିମଚ୍‌ଠାରେ ଏହା ‘କ୍ରାଉନ ରିପ୍ରେଜେଣ୍ଟେଟିଭ୍ସ ପୋଲିସ’ ଭାବେ ଗଠିତ ହୋଇଥିଲା ସ୍ୱାଧୀନତା ପରେ ୧୯୪୯ ଡିସେମ୍ବର ୨୮ରେ CRPF ଆକ୍ଟ ଅନୁଯାୟୀ ଏହାର ନାମ ବଦଳାଇ ‘କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ’ କରାଗଲା। ୧୯୫୦ ମାର୍ଚ୍ଚ ୧୯ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏହି ବାହିନୀକୁ ‘ପ୍ରେସିଡେଣ୍ଟସ କଲର୍ସ’ (Presidential Colours) ପ୍ରଦାନ କରିଥିଲେ।

ଏହି ଦିବସର ଗୁରୁତ୍ୱବୀରମାନଙ୍କୁ ସମ୍ମାନ ଦିଆଯାଏ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ CRPF ଯବାନମାନଙ୍କ ଅତୁଳନୀୟ ସେବା, ନିଷ୍ଠା ଓ ବଳିଦାନକୁ ଏହି ଦିନ ସମ୍ମାନ ଜଣାଯାଏ। CRPF ଯବାନଙ୍କ ମୁଖ୍ୟ ଦାୟିତ୍ୱ ହେଉଛି ଆତଙ୍କବାଦର ମୁକାବିଲା, ନକ୍ସଲ ନିୟନ୍ତ୍ରଣ, ଏବଂ ଦେଶରେ ଆଇନ ଶୃଙ୍ଖଳା ରକ୍ଷା ରଖିବା।

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. କଳ୍ପନା ଦତ୍ତ (ଜନ୍ମ- ୧୯୧୩) ଜଣେ ପ୍ରସିଦ୍ଧ ମହିଳା ବିପ୍ଳବୀ। ସୁର୍ଯ୍ୟ ସେନ୍‌ଙ୍କ ସହ ଯୋଡ଼ି ହୋଇ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାଗ ନେଇଥିଲେ। ଗୁପ୍ତ କାର୍ଯ୍ୟକଳାପ, ଗୁଳି ଚାଳନା ଅଭ୍ୟାସ ଏବଂ ଯୁଦ୍ଧ ସାମଗ୍ରୀ ପରିବହନ କରିଥିଲେ।

୨. ବିଶ୍ୱ ମୋହନ ଭଟ୍ଟ (ଜନ୍ମ- ୧୯୫୦): ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତକାର। ମୋହନ ବୀଣା (ସ୍ଲାଇଡ୍ ଗିଟାର) ବଜାଇ ପ୍ରସିଦ୍ଧ। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ପାଇଛନ୍ତି।

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଡଃ ଏ.ପି.ଜେ. ଅବଦୁଲ୍ କଲାମ୍ (ମୃତ୍ୟୁ- ୨୦୧୫)‌ ଭାରତର ୧୧ତମ ରାଷ୍ଟ୍ରପତି (୨୦୦୨-୨୦୦୭), ବିଖ୍ୟାତ ବୈଜ୍ଞାନିକ ଏବଂ “ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ” ନାମରେ ପରିଚିତ। ସେ ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ (IGMDP) ଏବଂ ପୋଖରାନ ୨ ପରମାଣୁ ପରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୭ ଜୁଲାଇ ୨୦୧୫ରେ ଶିଲଙ୍ଗ୍‌ର IIM-ରେ ବକ୍ତବ୍ୟ ଦେଉଥିବା ସମୟରେ ହୃଦଘାତରେ ୮୩ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ।

୨. ସାଲିମ୍ ଅଲି (ମୃତ୍ୟୁ- ୧୯୮୭) ଭାରତୀୟ ପକ୍ଷୀ ବିଜ୍ଞାନୀ ଏବଂ ପ୍ରକୃତି ପ୍ରେମୀ, “ବର୍ଡମ୍ୟାନ୍ ଅଫ୍ ଇଣ୍ଡିଆ” ନାମରେ ପରିଚିତ। ଭାରତର ପକ୍ଷୀ ସଂରକ୍ଷଣ ଏବଂ ଅଧ୍ୟୟନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

୩. ଅମଜଦ୍ ଖାନ୍ (ମୃତ୍ୟୁ- ୧୯୯୨) ବଲିଉଡ୍ ଅଭିନେତା, ଯିଏ ଶୋଲେ ଫିଲ୍ମରେ ଗବ୍ବର ସିଂହ ଭୂମିକା ପାଇଁ ସର୍ବାଧିକ ପରିଚିତ। ସେ ଖଳନାୟକ ଏବଂ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରି ଜଣାଶୁଣା ହୋଇଥିଲେ।

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୮୭: ଅନୁସନ୍ଧାନକାରୀମାନେ ଟାଇଟାନିକ୍‌ର ବୁଡ଼ିଯାଇଥିବା ଭଗ୍ନାବଶେଷକୁ ସଫଳତାର ସହ ଠାବ କରିଥିଲେ।

୨୦୧୨: ଗ୍ରୀଷ୍ମକାଳୀନ ଅଲିମ୍ପିକ୍ ଖେଳ ଆନୁଷ୍ଠାନିକ ଭାବରେ ଲଣ୍ଡନରେ ଖୋଲିଥିଲା।

୧୮୯୭: ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କୁ ପ୍ରଥମ ଥର ପାଇଁ ବ୍ରିଟିଶ କର୍ତ୍ତୃପକ୍ଷ ଗିରଫ କରିଥିଲେ।

୧୯୯୪: ସୁଟର ଜସପାଲ ରାଣା ବିଶ୍ୱ ସୁଟିଂ ଚାମ୍ପିଅନସିପରେ ରେକର୍ଡ ସ୍କୋର ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ।

୨୦୧୫: ପୂର୍ବତନ ଭାରତୀୟ ରାଷ୍ଟ୍ରପତି ଏବଂ ପ୍ରସିଦ୍ଧ ବୈଜ୍ଞାନିକ ଏ.ପି.ଜେ. ଅବଦୁଲ କଲାମଙ୍କ ଶିଲଂରେ ଦେହାନ୍ତ ହୋଇଥିଲା।