ସୃଷ୍ଟି ହେଲା ଗଭୀର ଅବପାତ; ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ

ବାଲେଶ୍ଵରଠାରୁ ୧୨୦ କି.ମି. ଦୂରରେ ରହିଛି ଅବପାତ

ଚାନ୍ଦବାଲି ଓ କ୍ୟାନିଂ ମଧ୍ୟରେ ଉପକୂଳ ଅତିକ୍ରମ କରିବ

ଭୁବନେଶ୍ୱର, ୨୭/୦୭: ଗଭୀର ଅବପାତରେ ପରିଣତ ହୋଇଛି ଅବପାତ। ସୋମବାର ପୂର୍ବାହ୍ନରେ ଏହା ଓଡ଼ିଶାର ଚାନ୍ଦବାଲି ଓ ପଶ୍ଚିମବଙ୍ଗର କ୍ୟାନିଂ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାଲେଶ୍ଵର ଠାରୁ ୧୨୦ କି.ମି. ଦୂରରେ ରହିଛି ଅବପାତ।

ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।

ବର୍ଷା ପାଇଁ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ତେବେ ୨୯ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆକଳନ କରିଥାଏ ପାଣିପାଗ ବିଭାଗ।

୨୮ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୭୫ କିମି ବେଗରେ ପବନ ବହିବ। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ରକୁ ବାରଣ କରାଯାଇଛି।