ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପାଇଲେ NSA ଅଜିତ ଡୋଭାଲ
ଜାତୀୟ ସୁରକ୍ଷା ପାଇଁ ପ୍ରତିବଦ୍ଧତା ଓ କୁଶଳୀ ରଣନୀତି ପାଇଁ ସମ୍ମାନିତ ହେଲେ
ପୁଣେ, ୦୧/୦୮: ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ଆଜି ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ୨୦୨୬ରେ ସମ୍ମାନିତ କରାଯାଇଛି। ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ୧୦୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୁଣେରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଡୋଭାଲଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଲୋକମାନ୍ୟ ତିଲକ ସ୍ମାରକ ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଏ। ଜାତୀୟ ସୁରକ୍ଷା କ୍ଷେତ୍ରରେ ଅଜିତ ଡୋଭାଲଙ୍କ ଅସାଧାରଣ ଯୋଗଦାନ, ପ୍ରତିବଦ୍ଧତା ଏବଂ କୁଶଳୀ ରଣନୀତି ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଡଃ ରୋହିତ ତିଲକ ଏହା ଘୋଷଣା କରିଥିଲେ ଯେ ଡୋଭାଲ ଭାରତର ଜାତୀୟ ସୁରକ୍ଷା ଦୃଢ଼ କରିବା, ଆତଙ୍କବାଦ ବିରୋଧୀ କାର୍ଯ୍ୟ, ଗୁପ୍ତ ଅଭିଯାନ ଏବଂ ସୀମା ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଏହି ସମାରୋହରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ସୁନେତ୍ରା ପାୱାରଙ୍କ ସମେତ ଅନେକ ବରିଷ୍ଠ ନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପୁରସ୍କାର ଭାବେ ଏକ ସ୍ମୃତିଚିହ୍ନ, ସମ୍ମାନପତ୍ର ଏବଂ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଦିଆଯାଇଛି।
ଅଜିତ ଡୋଭାଲ ଭାରତର ସର୍ବାଧିକ ସମୟ ଧରି ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ୧୯୬୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଭାବେ ସେ ମିଜୋରାମ, ସିକିମ, ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ଇସଲାମାବାଦ ଏବଂ ଲଣ୍ଡନରେ କୂଟନୈତିକ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଭାରତ-ଚୀନ ସୀମା ଆଲୋଚନାରେ ବିଶେଷ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ ଏବଂ ଡୋକଲାମ ସଙ୍କଟ ସମାଧାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାଲାକୋଟ ଏୟାର ଷ୍ଟ୍ରାଇକ୍, ସର୍ଜିକାଲ ଷ୍ଟ୍ରାଇକ୍ ଭଳି ବଡ଼ ଅଭିଯାନରେ ମଧ୍ୟ ତାଙ୍କ ଭୂମିକା ରହିଛି।
୧୯୮୩ ମସିହାରେ ଲୋକମାନ୍ୟ ତିଲକ ସ୍ମାରକ ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଆରମ୍ଭ କରାଯାଇଥିଲା। ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ ଲୋକମାନ୍ୟ ତିଲକଙ୍କ ପୁଣ୍ୟତିଥି ଅବସରରେ ଦେଶକୁ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯାଏ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ, ଇନ୍ଦିରା ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ଶରଦ ପାୱାର ପରି ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ମିଳିଛି।