ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉନ୍ନତିକରଣ ଓ ଫାର୍ମାସୀ ୱେରହାଉସ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଭୁବନେଶ୍ୱର ଆୟୁର୍ବେଦ ହସ୍ପିଟାଲ ଉନ୍ନତିର ଶୁଭାରମ୍ଭ
ଭୁବନେଶ୍ୱର, ୧୩/୦୮: ଭୁବନେଶ୍ୱରସ୍ଥିତ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉନ୍ନତିକରଣ ଏବଂ ଫାର୍ମାସୀ ୱେରହାଉସ ଗୃହ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ଦ୍ଵାରା ସ୍ଥାପନ କରାଯାଇଛି। ଏହି ଅବସରରେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ପଦକ୍ଷେପ ରାଜ୍ୟରେ ସରକାରୀ ଆୟୁର୍ବେଦ ଚିକିତ୍ସା ସେବାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।
ମାନ୍ୟବର ମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ”ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଆୟୁର୍ବେଦ ସମେତ ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତିଗୁଡ଼ିକର ସଂରକ୍ଷଣ, ପ୍ରୋତ୍ସାହନ ଓ ଆଧୁନିକୀକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାକୁ ଆଗେଇ ନେଇ ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟଗୁଡ଼ିକର ଗୁଣାତ୍ମକ ଉନ୍ନତି, ଆଧୁନିକୀକରଣ ଓ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।“
ଭୁବନେଶ୍ୱରର ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉନ୍ନତିକରଣ ଦ୍ୱାରା ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧି ପାଇବା ସହ ରୋଗୀମାନଙ୍କ ପାଇଁ ଅଧିକ ସୁବିଧାଜନକ ଓ ରୋଗୀ-କେନ୍ଦ୍ରିକ ପରିବେଶ ସୃଷ୍ଟି ହେବ। ସେହିପରି ଫାର୍ମାସୀ ୱେରହାଉସ ଗୃହ ନିର୍ମାଣ ଦ୍ୱାରା ଔଷଧ ଓ ଆବଶ୍ୟକୀୟ ସାମଗ୍ରୀର ସୁସଂଗଠିତ ସଂରକ୍ଷଣ ଏବଂ ପରିଚାଳନାରେ ଉନ୍ନତି ଆସିବ।
ସରକାରଙ୍କ ଏହି ସମସ୍ତ ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ସୁରକ୍ଷିତ, ଗୁଣାତ୍ମକ, ବୈଜ୍ଞାନିକ ମାନଦଣ୍ଡ ଆଧାରିତ ଏବଂ ରୋଗୀ-କେନ୍ଦ୍ରିକ ଆୟୁର୍ବେଦ ଚିକିତ୍ସା ସେବାକୁ ସାଧାରଣ ଲୋକଙ୍କ ପାଇଁ ଅଧିକ ସୁଲଭ ଓ ସୁଦୃଢ଼ କରିବେ ।
ଏହି ଭିତ୍ତିଭୂମି ବିକାଶ ଫଳରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ସେବା ମାନ ଆହୁରି ଉନ୍ନତ ହେବା ସହ ଜନସାଧାରଣଙ୍କ ମଧ୍ୟରେ ଆୟୁର୍ବେଦ ଚିକିତ୍ସା ପ୍ରତି ଆସ୍ଥା, ଗ୍ରହଣୀୟତା ଓ ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରାଯାଇଛି। ସେହିପରି ନିରାମୟ ଏବଂ ନିଦାନରେ ମାଗଣା ଟେଷ୍ଟିଂ ଏବଂ ଔଷଧ ସୁବିଧା ମଧ୍ୟ ଏହାକୁ ଅଧିକ ଲୋକାଭିମୁଖୀ କରିଛି ।
ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ଵାରା ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ମୁରୁଗାଘୁଟୁରେ ଏକ ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ ପାଇଁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି । ସେହିପରି ଅଧ୍ୟାପକଙ୍କ ଚୁକ୍ତିଭିତ୍ତିକ ପାରିଶ୍ରମିକ ୭୦,୦୦୦/- ଟଙ୍କା ସ୍ଥିର କରାଯାଇଛି ଏବଂ ପାଠକ ଏବଂ ପ୍ରଫେସରଙ୍କ ଚୁକ୍ତିଭିତ୍ତିକ ପାରିଶ୍ରମିକ ଯଥାକ୍ରମେ ୪୦,୦୦୦/- ଟଙ୍କାରୁ ୮୦,୦୦୦/- ଟଙ୍କା ଏବଂ ୫୦,୦୦୦/- ଟଙ୍କାରୁ ପ୍ରତିମାସ ୧,୦୦,୦୦୦/- ଟଙ୍କାକୁ ବୃଦ୍ଧି କରାଯାଇଛି।
ଆୟୁର୍ବେଦିକ ଏବଂ ହୋମିଓପାଥିକ ମେଡିକାଲ କଲେଜଗୁଡ଼ିକର ସରକାରୀ ଶିକ୍ଷା ବିଭାଗର ଛାତ୍ରଙ୍କ ବୃତ୍ତି ମାସିକ ଦରମା ୧୭,୦୦୦ ଟଙ୍କାରୁ ୩୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି, ସରକାରୀ ଆୟୁର୍ବେଦିକ ଏବଂ ହୋମିଓପାଥିକ ମେଡିକାଲ କଲେଜର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବର୍ଷର ପିଜି ଛାତ୍ରଙ୍କ ଷ୍ଟାଇପେଣ୍ଡକୁ ମାସିକ ଯଥାକ୍ରମେ ୩୧,୦୦୦ ଟଙ୍କା, ୩୨,୦୦୦ ଟଙ୍କା ଏବଂ ୩୩,୦୦୦ ଟଙ୍କାରୁ ୪୮,୦୦୦ ଟଙ୍କା, ୫୨,୦୦୦ ଟଙ୍କା ଏବଂ ୫୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଯାହା ସରକାରଙ୍କ ଆୟୁର୍ବେଦିକ ଚିକିତ୍ସା ଏବଂ ଶିକ୍ଷା ପ୍ରତି ଗୁରୁତ୍ବ ଦର୍ଶାଉଛି ।