ବିଧାୟକଙ୍କୁ ଅଣ୍ଡା ଓ ଚପଲ ମାଡ଼

ହେଲମେଟ ପିନ୍ଧାଇ ନେଲା ପୋଲିସ

କୋଲକାତା, ୧୪/୦୮: କୋଲକାତାର ବହୁଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲାରେ ନୂଆ ମୋଡ଼ ଆସିଛି। ମୃତ ଡାକ୍ତରଙ୍କ ଶବକୁ ତରବରିଆ ଭାବେ ଦାହ କରାଯାଇଥିବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ନିର୍ମଳ ଘୋଷଙ୍କୁ ଶୁକ୍ରବାର ଉତ୍ତ୍ୟକ୍ତ ଲୋକଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଛି। ତାଙ୍କୁ ପୋଲିସ ଥାନାରୁ କୋର୍ଟକୁ ନେଉଥିବା ସମୟରେ ଲୋକେ ଅଣ୍ଡା, କାଦୁଅ ଓ ଜୋତା ଫିଙ୍ଗିଥିବା ଜଣାପଡ଼ିଛି।

ନିର୍ମଳ ଘୋଷଙ୍କୁ ଅଗଷ୍ଟ ୧୩ ତାରିଖରେ ଓଡ଼ିଶାର ବାଲେଶ୍ୱରରୁ ପୋଲିସ ଗିରଫ କରିଥିଲା। ଆରଜି କର ମାମଲାରେ ମୃତ ଡାକ୍ତରଙ୍କ ଶବଦାହ ପ୍ରକ୍ରିୟାକୁ ତରବରିଆ ଭାବେ ସମ୍ପନ୍ନ କରାଯିବା ଘଟଣାରେ ତାଙ୍କ ଭୂମିକା ଥିବା ଅଭିଯୋଗ ଉଠିଥିଲା।

ନିର୍ମଳ ଘୋଷଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଖରଦା ପୋଲିସ ଥାନାରୁ ବାରାକପୁର ସବ୍-ଡିଭିଜନାଲ କୋର୍ଟକୁ ନିଆଯାଉଥିବା ବେଳେ ଘଟଣା ଘଟିଥିଲା। ପୋଲିସ ଓ ଆରଏଏଫ କର୍ମଚାରୀଙ୍କ କଡ଼ା ସୁରକ୍ଷା ମଧ୍ୟରେ ମଧ୍ୟ କିଛି ଲୋକ ତାଙ୍କ ଉପରକୁ ଅଣ୍ଡା, କାଦୁଅ ଓ ଜୋତା ଫିଙ୍ଗିଥିଲେ। ତାଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା।

ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ତାଙ୍କୁ ଘେରି ନେଇଥିଲେ। ଭିଡ଼ର ଆକ୍ରୋଶରୁ ତାଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ତାଙ୍କ ମୁଣ୍ଡରେ ହେଲମେଟ୍‌ ମଧ୍ୟ ଲଗାଇଥିଲା।

ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ସଞ୍ଜୀବ ମୁଖାର୍ଜୀଙ୍କୁ ମଧ୍ୟ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥିଲା। ସେ ପାନିହାଟି ମ୍ୟୁନିସିପାଲିଟିର ପୂର୍ବତନ ଟିଏମସି କାଉନସିଲର ଏବଂ ନିର୍ମଳ ଘୋଷଙ୍କ ଘନିଷ୍ଠ ସହଯୋଗୀ। ମୃତ ଡାକ୍ତରଙ୍କ ଶବକୁ ପୋଷ୍ଟମର୍ଟମ୍ ପରେ ପାନିହାଟି ଶ୍ମଶାନକୁ ନିଆଯିବା ସମୟରେ ସେ ସେଠାରେ ଉପସ୍ଥିତ ଥିବା ଅଭିଯୋଗ ରହିଛି। ଏହି ମାମଲାର ଆଉ ଜଣେ ଅଭିଯୁକ୍ତ ସୋମନାଥ ଦେ ଏପର୍ଯ୍ୟନ୍ତ ଫେରାର ଅଛନ୍ତି।

୨୦୨୪ ଅଗଷ୍ଟରେ ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିବା ପରେ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା। ମୃତ୍ୟୁ ପରେ ଶବଦାହ ପ୍ରକ୍ରିୟାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା। ବିଶେଷକରି ପରିବାର ପକ୍ଷରୁ ଦ୍ୱିତୀୟ ପୋଷ୍ଟମର୍ଟମ୍‌ ଓ ତରବରିଆ ଭାବେ ଶବଦାହକୁ ନେଇ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗକୁ ନେଇ ନିର୍ମଳ ଘୋଷଙ୍କ ସମେତ କିଛି ବ୍ୟକ୍ତିଙ୍କ ଭୂମିକା ତଦନ୍ତ ପରିସରକୁ ଆସିଥିଲା। ଏବେ ତାଙ୍କ ଗିରଫ ପରେ ତଦନ୍ତ ଆହୁରି ଗଭୀର ହେବାର ସମ୍ଭାବନା ରହିଛି।