ଭାରତର ନିର୍ବାଚନ ବ୍ୟବସ୍ଥାକୁ ଟ୍ରମ୍ପଙ୍କ ପ୍ରଶଂସା
‘ସେଭ୍ ଆମେରିକା ଆକ୍ଟ’କୁ ନେଇ ବିବାଦ ପରେ ଟ୍ରମ୍ପ ଦେଲେ ଭାରତର ଉଦାହରଣ
ନୂଆଦିଲ୍ଲୀ, ୧୮/୦୮: ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତର ନିର୍ବାଚନ ବ୍ୟବସ୍ଥାକୁ ଉଦାହରଣ ଦେଇ ଆମେରିକାରେ ନିର୍ବାଚନ ନିୟମକୁ ଆହୁରି କଡ଼ା କରିବାକୁ ଜୋର ଦେଇଛନ୍ତି ଟ୍ରମ୍ପ। ଆମେରିକାର ସେଭ୍ ଆମେରିକା ଆକ୍ଟ ପାସ୍ କରିବା ପାଇଁ କଂଗ୍ରେସକୁ ଆହ୍ୱାନ କରିବା ସମୟରେ ସେ ଭାରତର ଭୋଟର ଆଇଡି ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି।
ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଭାରତର ସଦ୍ୟତମ ସାଧାରଣ ନିର୍ବାଚନରେ ପ୍ରାୟ ୬୪.୬ କୋଟି ଲୋକ ଭୋଟ୍ ଦେଇଥିଲେ। ତାଙ୍କ ଅନୁସାରେ, ଏଥିରୁ ୧ ପ୍ରତିଶତରୁ କମ୍ ଭୋଟର ଡାକ ମାଧ୍ୟମରେ ଭୋଟ୍ ଦେଇଥିଲେ ଏବଂ ଭୋଟରଙ୍କ ପାଇଁ ବୈଧ ଫଟୋ ପରିଚୟପତ୍ର ରହିବାର ବ୍ୟବସ୍ଥା ଥିଲା। ଏହାକୁ ଆମେରିକା ପାଇଁ ଏକ ଉଦାହରଣ ଭାବେ ସେ ଉପସ୍ଥାପନ କରିଛନ୍ତି।
ଟ୍ରମ୍ପ ଦାବି କରିଛନ୍ତି ଯେ, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ଏକ ଆଲୋଚନା ପ୍ରସଙ୍ଗରେ ଆମେରିକାରେ ବୈଧ ଫଟୋ ଆଇଡି ବିନା ନିର୍ବାଚନ କିପରି ହେଉଛି ବୋଲି ପ୍ରଶ୍ନ ଉଠିଥିଲା। କିନ୍ତୁ ଏ ନେଇ ସାର୍ବଜନୀନ ରେକର୍ଡ଼ ମିଳିନାହିଁ।
କ’ଣ ଏହି ସେଭ୍ ଆମେରିକା ଆକ୍ଟ
ସେଭ୍ ର ପୂର୍ଣ୍ଣ ରୂପ ହେଉଛି ସେଫଗାର୍ଡ ଆମେରିକାନ ଭୋଟର ଏଲିଜିବିଲିଟି। ଟ୍ରମ୍ପ ପ୍ରଶାସନ ଏହି ଆଇନକୁ ଆମେରିକାର ଫେଡେରାଲ୍ ନିର୍ବାଚନରେ ଭୋଟରଙ୍କ ପରିଚୟ ଓ ନାଗରିକତା ଯାଞ୍ଚକୁ ଅଧିକ କଡ଼ା କରିବା ପାଇଁ ପ୍ରସ୍ତାବିତ ପଦକ୍ଷେପ ଭାବେ ଦେଖୁଛି। ଏଥିରେ ଭୋଟର ପଞ୍ଜୀକରଣ ସମୟରେ ଆମେରିକୀୟ ନାଗରିକତାର ପ୍ରମାଣ ଦେବା ଏବଂ ଭୋଟ୍ ଦେବା ସମୟରେ ପରିଚୟ ଯାଞ୍ଚ ଭଳି ବ୍ୟବସ୍ଥା ରହିଛି।
ଟ୍ରମ୍ପଙ୍କ କହିଛନ୍ତି, ନିର୍ବାଚନ ପ୍ରକ୍ରିୟାରେ କେବଳ ଯୋଗ୍ୟ ଆମେରିକୀୟ ନାଗରିକ ଭୋଟ୍ ଦିଅନ୍ତୁ ଏବଂ ନିର୍ବାଚନର ବିଶ୍ୱସନୀୟତା ଆହୁରି ବଢ଼ୁ। ହ୍ୱାଇଟ୍ ହାଉସ୍ ମଧ୍ୟ ଏହି ଆଇନକୁ ନିର୍ବାଚନ ସୁରକ୍ଷା ସହ ଯୋଡ଼ି ଦେଖାଉଛି।
ଆମେରିକାରେ କାହିଁକି ବିବାଦ?
ସେଭ୍ ଆମେରିକା ଆକ୍ଟକୁ ନେଇ ଆମେରିକାରେ ରାଜନୈତିକ ମତଭେଦ ରହିଛି। ଟ୍ରମ୍ପ ଓ ତାଙ୍କ ସମର୍ଥକମାନେ ଭୋଟର ଆଇଡି ଓ ନାଗରିକତା ଯାଞ୍ଚକୁ ନିର୍ବାଚନର ସୁରକ୍ଷା ପାଇଁ ଆବଶ୍ୟକ ବୋଲି କହୁଛନ୍ତି। ଅନ୍ୟପକ୍ଷରେ ବିରୋଧୀମାନଙ୍କ ଆଶଙ୍କା ହେଉଛି, କଠୋର ଡକ୍ୟୁମେଣ୍ଟ ନିୟମ ଯୋଗୁଁ କିଛି ଯୋଗ୍ୟ ଭୋଟରଙ୍କ ପାଇଁ ଭୋଟ୍ ଦେବା କଷ୍ଟକର ହୋଇପାରେ।