‘ବନ୍ଦେ ମାତରମ୍’ ଗାନ ବେଳେ ବାଜିଲା ଆଲବମ୍ ଗୀତ

୪ ମିନିଟ୍ ଛିଡ଼ା ହେବା ପରେ କ୍ଷମା ମାଗିଲେ ଉପମୁଖ୍ୟମନ୍ତ୍ରୀ

ଥାନେ, ୧୮/୦୮: ମହାରାଷ୍ଟ୍ରର ଥାନେରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’କୁ ନେଇ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିର୍ଦ୍ଧାରିତ ମୂଳ ସଂସ୍କରଣ ବଦଳରେ ପ୍ରସିଦ୍ଧ ଗାୟିକା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଦ୍ୱାରା ଗାଇଥିବା ଅନ୍ୟ ଏକ ସଂସ୍କରଣ ବାଜିବାରୁ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ପ୍ରାୟ ୪ ମିନିଟ୍ ଧରି ଠିଆ ହୋଇ ରହିଥିଲେ। ଘଟଣା ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ଥାନେରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏକନାଥ ସିନ୍ଦେ ମଞ୍ଚରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ନିୟମ ଅନୁଯାୟୀ ‘ବନ୍ଦେ ମାତରମ୍’ ଗାନ ପାଇଁ ଘୋଷଣା କରାଯିବା ପରେ ଉପସ୍ଥିତ ସମସ୍ତେ ସମ୍ମାନର ସହ ଠିଆ ହୋଇଥିଲେ।

କିନ୍ତୁ ଏହାପରେ ଯେଉଁ ଅଡିଓ ଚାଲିଥିଲା, ତାହା ନିର୍ଦ୍ଧାରିତ ମୂଳ ସଂସ୍କରଣ ନଥିଲା। ଲତା ମଙ୍ଗେସକରଙ୍କ କଣ୍ଠରେ ରେକର୍ଡ ହୋଇଥିବା ‘ବନ୍ଦେ ମାତରମ୍’ର ଏକ ଆଲବମ୍ ସଂସ୍କରଣ ବାଜିଥିଲା। ଗୀତର ଶବ୍ଦ ‘ବନ୍ଦେ ମାତରମ୍’ ହୋଇଥିଲେ ମଧ୍ୟ ଏହା ନିର୍ଦ୍ଧାରିତ ଔପଚାରିକ ସଂସ୍କରଣ ସହ ମେଳ ଖାଉନଥିଲା।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ‘ବନ୍ଦେ ମାତରମ୍’ର ସମ୍ପୂର୍ଣ୍ଣ ୬ ପଦୀୟ ମୂଳ ସଂସ୍କରଣକୁ ନେଇ ବିଶେଷ ନିର୍ଦ୍ଦେଶନାମା ଜାରି ହୋଇଛି। ସରକାରୀ ଔପଚାରିକ କାର୍ଯ୍ୟକ୍ରମରେ ଏହାର ନିର୍ଦ୍ଧାରିତ ସଂସ୍କରଣ ବଜାଇବା ଏବଂ ଉପସ୍ଥିତ ଲୋକଙ୍କୁ ସମ୍ମାନର ସହ ଠିଆ ହେବାକୁ କୁହାଯାଇଛି।

ଲତା ମଙ୍ଗେସକରଙ୍କ ସଂସ୍କରଣ ଚାଲିଥିବାରୁ ଗୀତ ଶେଷ ନହେବା ପର୍ଯ୍ୟନ୍ତ ସମସ୍ତେ ଠିଆ ହୋଇ ରହିଥିଲେ। ଗୀତ ଶେଷ ହେବା ପରେ ସିନ୍ଦେ ନିଜ ଭାଷଣରେ ଏହି ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିବା ଏବଂ ଭବିଷ୍ୟତରେ ଏପରି ଭୁଲ ଯେପରି ନ ହୁଏ, ସେଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ସତର୍କ କରିଛନ୍ତି।