ନୂଆଦିଲ୍ଲୀ: ଚୀନର ଝୌଙ୍ଗଝାଉ ସହର ସ୍ଥିତ ଦୁନିଆର ସବୁଠୁ ବଡ ଆଇଫୋନ ଫ୍ୟାକ୍ଟ୍ରି ବାହାରେ ସଂଘର୍ଷ।ରକ୍ତାକ୍ତ ହେଲେ କର୍ମଚାରୀ। କାରଣ ସେମାନେ ଅନେକ ସପ୍ତାହ ଧରି କରୋନା କଟକଣା ଭିତରେ ରହୁଥିଲେ। ଏବେ କମ୍ପାନି ପରିସରରୁ ପଳାୟନ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ଫ୍ୟାକ୍ଟ୍ରିରେ ମୁତୟନ ସୁରକ୍ଷାକର୍ମୀ ଏବଂ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଛି। କର୍ମଚାରୀଙ୍କୁ ମାଡ ମରାଯାଇଥିବା ବେଳେ ଆଉ କିଛି କର୍ମଚାରୀଙ୍କୁ ଅଟକ ରଖାଯାଇଛି।
ଆପଲ୍ ଆଇଫୋନ ନିର୍ମାଣକାରୀ ଫକ୍ସକନ ଟେକ୍ନୋଲୋଜି ଗ୍ରୁପ ପ୍ଲାଣ୍ଟର କର୍ମଚାରୀ ଗତ କିଛି ଦିନ ହେବ କରୋନା କଟକଣା ଭିତରେ ରହି ଆସିଥିଲେ। କମ୍ପାନିର ଚତୁଃପାର୍ଶ୍ଵକୁ ସିଲ୍ କରି ବି କରି ଦିଆ୍ଯାଇଥିଲା। ଏହାମଧ୍ୟରେ ଭିତରେ ରହିବା ଅସହ୍ୟ ହେବାରୁ ବୁଧବାର କର୍ମଚାରୀ କମ୍ପାନି ପରିସରରୁ ପଳାୟନ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ସଂଘର୍ଷ ହୋଇଥିବା ସାମ୍ନାକୁ ଆସିଥିବା ଭିଡିଓରୁ ଜଣା ପଡିଛି।
କିଛି କର୍ମଚାରୀ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ଥିବା ଭିଡିଓରୁ ଦେଖିବାକୁ ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ, ବୁଧବାର ଅନେକ କର୍ମଚାରୀ ପୋଲିସ କାରକୁ ଘେରିବା ସହ ହଙ୍ଗାମା କରିଥିଲେ । ଏହି ସମୟରେ ହିଂସାତ୍ମକ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଚୀନ ପୋଲିସକୁ କାରଖାନାର ଆଖପାଖରେ ମୁତୟନ କରାଯାଇଛି।