ମହାରାଷ୍ଟ୍ର, ୨୨/୦୮: ମୋବାଇଲ୍ ଫୋନ୍କୁ ନେଇ ପାରିବାରିକ ବିବାଦ ଏକ ଦୁଃଖଦ ଘଟଣାର ରୂପ ନେଇଛି। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଖାଭଡ୍ୟା ପାହାଡ଼ରେ ଜଣେ ୧୮ ବର୍ଷୀୟ ଯୁବକ ଓ ତାଙ୍କ ବାପା-ମା’ଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଏହି ଘଟଣା ଘଟିଥିଲା।
ମୃତକମାନେ ହେଲେ ୧୮ ବର୍ଷୀୟ କୁନାଲ ଚନ୍ଦଗୁଡେ, ତାଙ୍କ ବାପା ୪୮ ବର୍ଷୀୟ ମୁରଲୀଧର ଚନ୍ଦଗୁଡେ ଏବଂ ମା’ ସଙ୍ଗୀତା। ସେମାନେ ଛତ୍ରପତି ସମ୍ଭାଜୀନଗରର ଜାଲ୍ତା ଫାଟା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ଆଇଫୋନ୍କୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ
ପୋଲିସ ସୂଚନା ଅନୁସାରେ, କୁନାଲ ଏକ ନୂଆ ଆଇଫୋନ୍ ଚାହୁଁଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କ ବାପା ମୁରଲୀଧର ଫୋନ୍ କିଣିଦେବାକୁ ଅସମର୍ଥ ଥିଲେ। ମୁରଲୀଧର ପେସାରେ ଡ୍ରାଇଭର ଥିଲେ ଏବଂ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ।
ବିବାଦ ପରେ କୁନାଲ ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଖାଭଡ୍ୟା ପାହାଡ଼ ଉପରକୁ ଯାଇଥିଲେ। ସେଠାକୁ ଯାଇ ଫୋନ୍ ନଦେଲେ ଜୀବନ ହାରିବା ପାଇଁ ତାଙ୍କ ବାପାଙ୍କୁ ଚେତାବନୀ ଦେଇଥିଲେ। ଖବର ପାଇ ତାଙ୍କ ବାପା-ମା’ ସେଠାରେ ପହଞ୍ଚି ତାଙ୍କୁ ଘରକୁ ଫେରିବାକୁ ବୁଝାଇଥିଲେ। କିନ୍ତୁ ସେ ଶୁଣିନଥିଲେ। ପରେ ପୋଲିସ, ଅଗ୍ନିଶମ ବାହିନୀ, ଗ୍ରାମବାସୀ ଏବଂ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ।
ପ୍ରାୟ ତିନି ଘଣ୍ଟା ଧରି କୁନାଲଙ୍କୁ ବୁଝାଇବାକୁ ଚେଷ୍ଟା ହୋଇଥିଲା। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରି ତାଙ୍କୁ ଉଦ୍ଧାର କରିବାର ପ୍ରୟାସ କରିଥିଲେ। କିନ୍ତୁ ଉଦ୍ଧାରକାରୀଙ୍କ ଅନୁରୋଧ ସତ୍ତ୍ୱେ ପରିସ୍ଥିତି ନିୟନ୍ତ୍ରଣକୁ ଆସିନଥିଲା।
ପ୍ରାୟ ଦିନ ୧ଟା ବେଳେ ମୁରଲୀଧର ତାଙ୍କ ପୁଅଙ୍କ ନିକଟକୁ ଯାଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ କୁନାଲ ହଠାତ୍ ତଳକୁ ଖସିଥିବା ବେଳେ ତାଙ୍କ ବାପା ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ଏହା ଭିତରେ ଉଭୟ ତଳକୁ ଖସି ଯାଇଥିଲେ। ଯାହା ଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।
ଏହା ପରେ ସ୍ୱାମୀ ଓ ପୁଅଙ୍କୁ ହରାଇବା ପରେ ମା’ ସଙ୍ଗୀତା ମଧ୍ୟ ପାହାଡ଼ରୁ ତଳକୁ ପଡ଼ି ମୃତ୍ୟୁବରଣ କରିଥିବା ପୋଲିସ ସୂଚନା ଦେଇଛି। କିଛି ମିନିଟ୍ ମଧ୍ୟରେ ଏକ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ତିନିଜଣଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।