ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ୧୦୫ ବର୍ଷୀୟ ହତ୍ୟା ଅଭିଯୁକ୍ତକୁ ମିଳିଲା ମୁକ୍ତି
ଆଜୀବନ କାରାଦଣ୍ଡରୁ ମିଳିଲା ମୁକ୍ତି
ନୂଆଦିଲ୍ଲୀ, ୨୨/୦୮: ସୁପ୍ରିମ୍ କୋର୍ଟ ଜଣେ ୧୦୫ ବର୍ଷୀୟ ହତ୍ୟା ମାମଲାର ଦୋଷୀ ରସିକ ଚନ୍ଦ୍ର ମଣ୍ଡଳଙ୍କ ବାକି ଥିବା ଆଜୀବନ କାରାଦଣ୍ଡକୁ ଛାଡ଼ କରି ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ଏବେ ବେଶ ସାରା ଦେଶରେ ବୈଶ ଚର୍ଚ୍ଚା ସୃଷ୍ଟି କରିଛି।
୧୯୨୦ ମସିହାରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ରସିକ ଚନ୍ଦ୍ର ମଣ୍ଡଳ ୧୯୮୮ ମସିହାରେ ଜମିଜମା ବିବାଦକୁ କେନ୍ଦ୍ର କରି ନିଜ ଭାଇ ସୁରେଶ ମଣ୍ଡଳଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୧୯୯୪ ମସିହାରେ (ସେତେବେଳେ ତାଙ୍କୁ ୭୪ ବର୍ଷ) ନିମ୍ନ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।
୨୦୧୮ରେ କଲିକତା ହାଇକୋର୍ଟ ତାଙ୍କ ଦଣ୍ଡାଦେଶକୁ ବଜାୟ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ସୁପ୍ରିମ୍ କୋର୍ଟ ମଧ୍ୟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ। ୨୦୨୦ରେ (୯୯ ବର୍ଷ ବୟସରେ) ସେ ନିଜର ଅତ୍ୟଧିକ ବୟସ ଓ ବାର୍ଦ୍ଧକ୍ୟଜନିତ ରୋଗର କାରଣ ଦର୍ଶାଇ ଜେଲରୁ ସମୟପୂର୍ବରୁ ମୁକ୍ତି ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ନଭେମ୍ବର ୨୦୨୪ରେ ସୁପ୍ରିମ୍ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ/ପାରୋଲ୍ ପ୍ରଦାନ କରିଥିଲେ। ବର୍ତ୍ତମାନ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ୨୦୨୪ର ସେହି ଅନ୍ତରୀଣ ଜାମିନ ନିର୍ଦ୍ଦେଶକୁ ଅନ୍ତିମ ରୂପ ଦେଇଛନ୍ତି।
କୋର୍ଟ କହିଛନ୍ତି ଯେ ତାଙ୍କ ଅତ୍ୟଧିକ ବୟସକୁ ଆଖି ଆଗରେ ରଖି ଏହି ମାମଲାକୁ ବନ୍ଦ କରାଯାଉଛି ଏବଂ ତାଙ୍କର ଯଦି କିଛି କାରାଦଣ୍ଡ ବାକି ଅଛି, ତାହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଉଛି। ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଆଜୀବନ କାରାଦଣ୍ଡର ଅବଧି ବୈଷୟିକ ଭାବେ ଶେଷ ହୋଇ ନଥିଲେ ମଧ୍ୟ, ତାଙ୍କୁ ଆଉ କେବେବି ଜେଲ୍କୁ ପଠାଯିବ ନାହିଁ।