ପାରାଦୀପ, ୨୩/୦୮: ପାରାଦୀପ ଉପକୂଳ ବଙ୍ଗୋପସାଗରରେ ଏକ ଜାହାଜ ବୁଡ଼ି ଯାଇଥିବା ବେଳେ ଜାହାଜର ପତ୍ତା ମିଳୁନାହିଁ। ଲୁହାପଥର ବୋଝେଇ କରି ସିଙ୍ଗାପୁର ଅଭିମୁଖେ ଯାଉଥିବା ପାନାମା ପତାକାଧାରୀ କାର୍ଗୋ ଜାହାଜ ‘ଏମ୍ଭି ଓସନ୍ ୱିନର୍’ (MV Ocean Winner) ମଝି ସମୁଦ୍ରରେ ବୁଡ଼ିଯାଇଛି। ଜାହାଜରେ ଥିବା ୨୪ ଜଣ ବିଦେଶୀ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅବଶିଷ୍ଟ ୨୨ ଜଣ ଏବେ ବି ନିଖୋଜ ଅଛନ୍ତି।
ସୂଚନା ଯୋଗ୍ୟ ଯେ, ପାରାଦୀପ ବନ୍ଦରରୁ ପ୍ରାୟ ୭୨,୧୦୦ ମେଟ୍ରିକ୍ ଟନ୍ ଲୁହାପଥର ନେଇ ଜାହାଜଟି ବାହାରିଥିଲା। ତେବେ କୂଳରୁ ପ୍ରାୟ ୨୪୦ ନୌଟିକାଲ୍ ମାଇଲ୍ ଦୂରରେ ହଠାତ୍ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ସାଟେଲାଇଟ୍ ଟ୍ରାକିଂ ସିଷ୍ଟମ୍ରୁ ଏହା ଗାୟବ ହୋଇଯାଇଥିଲା।
ଜାହାଜରେ ୨୦ ଜଣ ଚୀନ୍, ୩ ଜଣ ମ୍ୟାଁମାର ଏବଂ ଜଣେ ବାଂଲାଦେଶୀ ନାଗରିକ ଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଭାରତୀୟ କୋଷ୍ଟଗାର୍ଡ ଏବଂ ନୌସେନା ପକ୍ଷରୁ ସମୁଦ୍ର ମଧ୍ୟରେ ଏକ ବ୍ୟାପକ ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରାଯାଇଛି।
କୋଷ୍ଟଗାର୍ଡର ଜାହାଜ ‘ବରଦ’, ‘ଅନମୋଲ’ ଓ ‘ବିଜିତ୍’ ସହ ସ୍ୱତନ୍ତ୍ର ହେଲିକପ୍ଟରକୁ ଏହି ଅଭିଯାନରେ ନିୟୋଜିତ କରାଯାଇଛି। ସମୁଦ୍ରରେ ଭାସୁଥିବା ଲାଇଫ୍ରାଫ୍ଟରୁ ନିକଟବର୍ତ୍ତୀ ଏକ ବ୍ୟବସାୟିକ ଜାହାଜ ସାହାଯ୍ୟରେ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ୨୨ ଜଣ ନିଖୋଜ କର୍ମଚାରୀଙ୍କର କୌଣସି ପତ୍ତା ମିଳିନଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରାଯାଇଛି। ଜାହାଜଟି କେଉଁ କାରଣରୁ ବୁଡ଼ିଲା, ସେ ନେଇ ତଦନ୍ତ ଜାରି ରହିଛି।