କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

୫୫ ନମ୍ବର ଏନ୍‌ଏଚ୍‌ ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଚିଠି

ଭୁବନେଶ୍ୱର, ୨୩/୦୮: ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ NH-55ର ସମ୍ବଲପୁର-କଟକ ରାସ୍ତାର ଦୁରବସ୍ଥାକୁ ନେଇ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ସେ ଗଡକରୀଙ୍କୁ ଚିଠି ଲେଖି NH-55ର ତୁରନ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ କହିଛନ୍ତି ଯେ, ସମ୍ବଲପୁରରୁ ଅନୁଗୋଳ ଦେଇ କଟକକୁ ସଂଯୋଗ କରୁଥିବା NH-55ର ବିଭିନ୍ନ ସ୍ଥାନରେ ରାସ୍ତାର ଅବସ୍ଥା ଖରାପ ହୋଇପଡ଼ିଛି। ବଡ଼ ବଡ଼ ଖାଲଖମା, ରାସ୍ତାର କ୍ଷତିଗ୍ରସ୍ତ ଅଂଶ ଏବଂ ବର୍ଷାଜନିତ ଜଳବନ୍ଦୀ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହା ସହ ଏହି ରାଜପଥରେ ଅଧିକ ଯାନବାହନ ଚଳାଚଳ କରୁଥିବାରୁ ସମସ୍ୟା ଆହୁରି ବଢ଼ିଛି।

NH-55 ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହ ଯୋଡ଼ୁଥିବା ଏକ ପ୍ରମୁଖ ପରିବହନ ମାର୍ଗ। ଏହି ରାସ୍ତା ଦେଇ ଦୈନିକ ଯାତ୍ରୀବାହୀ ଗାଡ଼ି ସହ ବହୁ ସଂଖ୍ୟକ ଭାରୀଯାନ ଓ ମାଲବାହୀ ଟ୍ରକ୍ ଚଳାଚଳ କରିଥାଏ। ତେଣୁ ରାସ୍ତାର ଦୁରବସ୍ଥା ଯାତ୍ରୀଙ୍କ ସହ ମାଲ ପରିବହନକୁ ମଧ୍ୟ ପ୍ରଭାବିତ କରୁଛି।

ବିଶେଷକରି ବର୍ଷା ଦିନେ ରାସ୍ତାର ଖାଲଖମାରେ ପାଣି ଜମି ରହୁଥିବାରୁ ଗାଡ଼ି ଚାଳକଙ୍କ ପାଇଁ ଯାତାୟାତ କରିବା କଷ୍ଟକର ହୋଇ ପଡୁଛି। ଦୁର୍ଘଟଣାର ମଧ୍ୟ ଆଶଙ୍କା ରହୁଛି।

ଧର୍ମେନ୍ଦ୍ର ପ୍ରଧାନ ଗଡକରୀଙ୍କୁ ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ NH-55ର କ୍ଷତିଗ୍ରସ୍ତ ଅଂଶଗୁଡ଼ିକର ତୁରନ୍ତ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। ରାସ୍ତାର ଶୀଘ୍ର ମରାମତି ହେଲେ ଯାତାୟାତ ସ୍ୱାଭାବିକ ହେବା ସହ ଯାତ୍ରୀଙ୍କ ସୁରକ୍ଷା ମଧ୍ୟ ବଢ଼ିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।