ନୂଆଦିଲ୍ଲୀ, ୨୩/୦୮: ଓଡ଼ିଶା ଉପକୂଳରେ ବୁଡ଼ିଯାଇଛି ପାନାମା ପତାକା ଥିବା ମାଲବାହୀ ଜାହାଜ ‘MV Ocean Winner’। ୨୪ ଜଣ କ୍ରିଉ ମେମ୍ବରଙ୍କୁ ନେଇ ଯାଉଥିବା ଏହି ଜାହାଜ ବଙ୍ଗୋପସାଗରରେ ପାରାଦୀପଠାରୁ ପ୍ରାୟ ୨୩୦-୨୪୦ ନଟିକାଲ ମାଇଲ ଦୂରରେ ଶନିବାର ବୁଡ଼ିଯାଇଛି। ଜାହାଜରୁ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଜୀବନରକ୍ଷା ରାଫ୍ଟରୁ ଉଦ୍ଧାର କରାଯାଇଛି। ଅବଶିଷ୍ଟ ୨୨ ଜଣଙ୍କ ସନ୍ଧାନରେ ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ସେ କହିଛନ୍ତି ଯେ ଓଡ଼ିଶା ଉପକୂଳରେ MV Ocean Winner ସହ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜାହାଜରେ ଲୁହାପଥର ଥିଲା ଏବଂ ଏହା ପାରାଦୀପରୁ ଚୀନ୍ ଅଭିମୁଖେ ଯାଉଥିଲା ବୋଲି ସେ କହିଛନ୍ତି।
ସୋନୱାଲ କହିଛନ୍ତି ଯେ ସମସ୍ତ ସମ୍ପୃକ୍ତ ଏଜେନ୍ସୀ ପରସ୍ପର ସମନ୍ୱୟରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଦୁଇ ଜଣ ଜୀବିତ ନାବିକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି। ଉଦ୍ଧାର ହୋଇଥିବା ଦୁଇ ଜଣଙ୍କ ପଦବୀ ଓ ପରିଚୟ ଯାଞ୍ଚ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ବାକି କ୍ରିଉ ମେମ୍ବରମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସେ ଆଶାବ୍ୟକ୍ତ କରିଛନ୍ତି।
ଅଧିକାରୀଙ୍କ ଅନୁସାରେ, MV Ocean Winner ଅଗଷ୍ଟ ୨୦ ତାରିଖ ରାତି ପ୍ରାୟ ୧୦ଟା ୪୨ରେ ପାରାଦୀପ ଅଞ୍ଚଳରୁ ଯାତ୍ରା ଆରମ୍ଭ କରିଥିଲା। ଜାହାଜରେ ପ୍ରାୟ ୭୨,୧୦୦ ମେଟ୍ରିକ ଟନ୍ ଲୁହାପଥର ଫାଇନ୍ସ ଥିଲା। ଯାତ୍ରା ସମୟରେ ଜାହାଜ ସହ ଯୋଗାଯୋଗ ହଠାତ୍ ବିଚ୍ଛିନ୍ନ ହୋଇଥିଲା। ଅଗଷ୍ଟ ୨୨ ତାରିଖ ପ୍ରାୟ ୧୧ଟା ୪୮ରେ ମାରିଟାଇମ୍ ରେସ୍କ୍ୟୁ କୋ-ଅର୍ଡିନେସନ୍ ସେଣ୍ଟରକୁ ଜାହାଜ ସମ୍ପର୍କରେ ସୂଚନା ମିଳିଥିଲା।
ଜାହାଜରେ ମୋଟ ୨୪ ଜଣ କ୍ରିଉ ମେମ୍ବର ଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣ ଚୀନ୍ର, ୩ ଜଣ ମ୍ୟାଁମାରର ଏବଂ ଜଣେ ବାଂଲାଦେଶର ବୋଲି ଅଧିକାରୀମାନେ କହିଛନ୍ତି।
ଜାହାଜ ସହ ଯୋଗାଯୋଗ ହରାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନା ମିଳିତ ଭାବେ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। ନିକଟରେ ଥିବା ବାଣିଜ୍ୟିକ ଜାହାଜ MT Aisoposକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ କରାଯାଇଥିଲା। ଏହି ଜାହାଜ ଦୁଇଟି ଅଲଗା ଲାଇଫ୍ ରାଫ୍ଟରୁ ଦୁଇ ଜଣ ନାବିକଙ୍କୁ ଉଦ୍ଧାର କରିଥିଲା।
ଅବଶିଷ୍ଟ କ୍ରିଉ ମେମ୍ବରଙ୍କ ସନ୍ଧାନ ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ତିନିଟି ଜାହାଜ ନିୟୋଜିତ ହୋଇଛି। ନୌସେନାର ଏକ P-8I ବିମାନ ମଧ୍ୟ ସନ୍ଧାନ କାର୍ଯ୍ୟରେ ସାମିଲ ହୋଇଛି।