ପୁରୀ, ୨୭/୦୮: ପବିତ୍ର ଧାମ ପୁରୀଠାରେ ଆସନ୍ତା ସେପ୍ଟେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ’ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହୋତ୍ସବରେ ଭାରତର ସୁପରିଚିତ ଆଧ୍ୟାତ୍ମିକ ଶକ୍ତି, ପରମ ପୂଜ୍ୟା ‘ଦିଦି ମା’ ସାଧ୍ୱୀ ଋତମ୍ଭରା ଜୀ ବ୍ୟାସପୀଠରୁ ଶ୍ରୀମଦ୍ ଭାଗବତ କଥା ପ୍ରବଚନ ପ୍ରଦାନ କରିବେ।
ପୁରୀର ହୋଟେଲ ସେଭେନ୍ ହିଲ୍ସ ସଭାଗୃହରେ ପ୍ରତିଦିନ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି କଥା ପ୍ରବଚନ ଚାଲିବ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୫୦ ଜଣ ପଞ୍ଜୀକୃତ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚିବେ। ଏହି କଥା ମହୋତ୍ସବର ସୀମିତ ସଂଖ୍ୟକ ସଦସ୍ୟଙ୍କ ପାଇଁ ଆୟୋଜିତ ହୋଇଥିବାରୁ, ବ୍ୟାପକ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଇଲେକ୍ଟ୍ରୋନିକ୍, ପ୍ରିଣ୍ଟ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିଦିନ ସୀଧାପ୍ରସାରଣ କରାଯିବ।
ପରମ ଶକ୍ତିପୀଠର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ରାମଭଗବାନ ଅଗ୍ରୱାଲଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏଥିରେ ଶ୍ରୀ ପବନ ଶର୍ମା, ଶ୍ରୀ ଗୁଣେନ୍ଦ୍ର ମେହେତା, ଶ୍ରୀ ରମେଶ ଖଣ୍ଡେଲୱାଲ ବରିଷ୍ଠ ସମାଜସେବୀ ଭାବେ ରହିଥିବା ବେଳେ ଶ୍ରୀ ଦେବେନ୍ଦ୍ର ଶୁକ୍ଲା ମିଡିଆ ପ୍ରଭାରୀ, ଶ୍ରୀ ଚେତନ ଖଣ୍ଡେଲୱାଲ ମୁଖ୍ୟ ଜଜମାନ, ଶ୍ରୀ ଅଜୟ ଅଗ୍ରୱାଲ ବିଶେଷ ଜଜମାନ ଏବଂ ବିଶ୍ୱ ଜାଗରଣ ମଞ୍ଚର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଓ ଟ୍ରଷ୍ଟିମାନେ ସକ୍ରିୟ ଯୋଗଦାନ ଦେଉଛନ୍ତି। ଏଥିସହିତ ଭାରତ ସଂକଳ୍ପ ସଂସ୍ଥାନ ଓଡ଼ିଶା ଶାଖାର ଶ୍ରୀମତୀ ସ୍ମୃତି ମିଶ୍ର ବ୍ୟବସ୍ଥା ସଂଯୋଜକ ଏବଂ ମାରୱାଡ଼ି ଯୁବମଞ୍ଚ, ମାରୱାଡ଼ି ସୋସାଇଟି ଓ ମାରୱାଡ଼ି ମହିଳା ସମିତି (ଭୁବନେଶ୍ୱର ଓ କଟକ ଶାଖା) ସହଯୋଗୀ ଭାବେ କାର୍ଯ୍ୟ କରୁଛନ୍ତି।
ଏହି ମହୋତ୍ସବରେ ଯୋଗଦେବା ପାଇଁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗାର୍ଗଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି।
କଥା ସଂଯୋଜିକା ସାଧ୍ୱୀ ଶିରୋମଣି ଗିରି ପ୍ରକାଶ କରିଛନ୍ତି ଯେ, ୧୯୮୦ ଓ ୧୯୯୦ ଦଶକରେ ସାଧ୍ୱୀ ଋତମ୍ଭରା ଜୀ ବିଶ୍ୱ ହିନ୍ଦୁ ପରିଷଦ ଓ ଦୁର୍ଗାବାହିନୀ ମାଧ୍ୟମରେ ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ପାଇଁ ସାରା ଦେଶରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଥିଲେ। ତାଙ୍କର ଏହି ନେତୃତ୍ୱ ଯୋଗୁଁ ସମାଜରେ ଜାତିଗତ ଭେଦଭାବ ଭୁଲି ଲୋକେ ଏକଜୁଟ ହୋଇଥିଲେ, ଯାହାର ପରିଣାମ ସ୍ୱରୂପ ଆଜି ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମିତ ହୋଇପାରିଛି।
ପୁରୀର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ମହୋତ୍ସବକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।