୫୨ ବର୍ଷ ପରେ ହକି ବିଶ୍ୱକପ୍‌ରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ଜର୍ମାନୀକୁ ୩-୧ରେ ହରାଇଲା ଭାରତ

ନୂଆଦିଲ୍ଲୀ, ୨୭/୦୮: ମହିଳା ହକି ବିଶ୍ୱକପ୍‌ ୨୦୨୬ରେ ଭାରତୀୟ ଦଳ ରଚିଛି ଇତିହାସ। ଜର୍ମାନୀକୁ ୩-୧ ଗୋଲ୍‌ରେ ପରାସ୍ତ କରି ଭାରତ ପଞ୍ଚମ ସ୍ଥାନ ହାସଲ କରିଛି। ଏହା ୧୯୭୪ ପରେ ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ୫୨ ବର୍ଷ ପରେ ଭାରତ ପୁଣି ଥରେ ବିଶ୍ୱ ମଞ୍ଚରେ ଏଭଳି ଉଚ୍ଚ ସ୍ଥାନ ହାସଲ କରିଛି।

ଆମ୍‌ଷ୍ଟେଲଭିନ୍‌ର ୱାଗେନର ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିଥିଲା। ଜର୍ମାନୀ ପ୍ରଥମ ଦୁଇ କ୍ୱାର୍ଟରରେ ଅଧିକ ଆକ୍ରମଣାତ୍ମକ ଭାବେ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତୀୟ ଟିମ୍ କିନ୍ତୁ ଭଲ ପ୍ରଦର୍ଶନ କରିଥିଲା।

ବିରତି ପରେ ଭାରତର ପ୍ରଦର୍ଶନ ବଢ଼ିଯାଇଥିଲା। ୪୩ତମ ମିନିଟ୍‌ରେ ଇଶିକା ଭାରତ ପାଇଁ ପ୍ରଥମ ଗୋଲ୍‌ କରିଥିଲେ। ଏହାପରେ ମାତ୍ର ଗୋଟିଏ ମିନିଟ୍‌ ମଧ୍ୟରେ ନଭନୀତ କୌର ଭାରତର ଗୋଲ ୨-୦ କରିଥିଲେ। ନଭନୀତ ୪୭ତମ ମିନିଟ୍‌ରେ ସେ ଆଉ ଏକ ଗୋଲ୍‌ କରି ଭାରତକୁ ୩-୦ ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ, ମ୍ୟାଚ୍‌ର ୫୯ତମ ମିନିଟ୍‌ରେ ଜର୍ମାନୀର ଲିନ୍‌ କ୍ରିଙ୍ଗ୍ସ ଗୋଟିଏ ଗୋଲ୍‌ ଦେଇଇଥିଲେ।

ଭାରତର ଏହି ବିଶ୍ୱକପ୍‌ ଅଭିଯାନ ଆରମ୍ଭରୁ ହିଁ ଉଲ୍ଲେଖନୀୟ ଥିଲା। ଦଳ ଉଚ୍ଚ ର‍୍ୟାଙ୍କିଙ୍ଗ୍‌ର ଚୀନ୍‌, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଡ୍ର’ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକାକୁ ୬-୧ରେ ପରାସ୍ତ କରିବା ମଧ୍ୟ ଭାରତର ବିଶ୍ୱକପ୍‌ ଅଭିଯାନର ଏକ ବଡ଼ ସଫଳତା ଥିଲା। ଟୁର୍ଣ୍ଣାମେଣ୍ଟରେ ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ ହାରିଥିଲା।

ଅଷ୍ଟ୍ରେଲିଆ ବିପକ୍ଷ ଗୋଲ୍‌ଶୂନ୍ୟ ଡ୍ର’ ପରେ ଭାରତ ସେମିଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା। ସମାନ ପଏଣ୍ଟ ଥିଲେ ମଧ୍ୟ ଗୋଲ୍‌ ରେକର୍ଡରେ ଅଷ୍ଟ୍ରେଲିଆ ଆଗରେ ରହି ସେମିଫାଇନାଲ୍‌ ଟିକେଟ୍‌ ହାସଲ କରିଥିଲା।

୧୯୭୪ର ରେକର୍ଡ ପରେ ପୁଣି ଶ୍ରେଷ୍ଠ ପ୍ରଦର୍ଶନ

୧୯୭୪ରେ ମହିଳା ହକି ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା। ଏହା ପରେ ଏତେ ଭଲ ସ୍ଥାନ ଭାରତୀୟ ଦଳ ହାସଲ କରିପାରିନଥିଲା। ୨୦୨୬ରେ ପଞ୍ଚମ ସ୍ଥାନ ହାସଲ କରି ଭାରତ ୫୨ ବର୍ଷ ପରେ ବିଶ୍ୱକପ୍‌ରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି।