ସୁଭଦ୍ରା ହିତାଧିକାରୀଙ୍କୁ ବଡ଼ ଭେଟି

ଖାତାକୁ ଗଲା ପଞ୍ଚମ କିସ୍ତି

ଭୁବନେଶ୍ୱର, ୨୮/୦୮: ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ନୟାଗଡ଼ରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ଏହି ଟଙ୍କା ପ୍ରଦାନ କରାଯାଇଛି।

ଏଥର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିର ଟଙ୍କା ମିଳିଛି। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ DBT ମାଧ୍ୟମରେ ପଠାଯାଇଛି। ଏହି ବାବଦରେ ସରକାର ୫,୧୬୦ କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରିଛନ୍ତି।

ପୂର୍ବରୁ ବିଭିନ୍ନ କାରଣରୁ ଟଙ୍କା ପାଇନଥିବା ୨ ଲକ୍ଷ ୨୧ ହଜାର ୫୪ ଜଣ ହିତାଧିକାରୀଙ୍କ ଆବେଦନ ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହୋଇଥିବାରୁ ସେମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇଛି।

‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ପ୍ରତିବର୍ଷ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଏହାକୁ ବର୍ଷକୁ ଦୁଇଟି କିସ୍ତିରେ ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ଯୋଜନା ଅନୁସାରେ ୫ ବର୍ଷରେ ଜଣେ ଯୋଗ୍ୟ ମହିଳାଙ୍କୁ ମୋଟ ୫୦ ହଜାର ଟଙ୍କା ମିଳିବ।