ସୁନ୍ଦରଗଡ଼, ୨୮/୦୮: ରାଉରକେଲା ରାଜନୀତି ବର୍ତ୍ତମାନ ସରଗରମ ରହିଛି। ପ୍ରକାଶ ପାଶୱାନ ସର୍କିଟ ହାଉସ୍ ବୁକିଂ ଓ ବନ୍ଧୁକ ଜବତ ହେବା ଘଟଣା ପରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତବ୍ୟକୁ ନେଇ ଏବେ ରାଜନୀତି ସରଗରମ।
ଜୁଏଲ ଓରାମ ତାଙ୍କୁ ବଦନାମ କରିବା ପାଇଁ କିଛି ଲୋକ ଟଙ୍କା ଖର୍ଚ୍ଚ କରି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି। ଜୁଏଲ ଓରାମ କହିଛନ୍ତି ଯେ, କିଛି ଲୋକ ତାଙ୍କୁ ରାଜନୈତିକ ଭାବେ ଦୁର୍ବଳ କରିବା ଏବଂ ବଦନାମ କରିବା ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କର ଲକ୍ଷ୍ୟ ହେଉଛି ଜୁଏଲ ଓରାମ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଲେ ସେହି ସ୍ଥାନ ଦଖଲ କରିବାର ସୁଯୋଗ ସୃଷ୍ଟି ହେବ। ତେବେ ସେ କାହାର ନାଁ ନେଇନାହାନ୍ତି।
ବିଜେପି ସହ ତାଙ୍କର ଦୀର୍ଘ ରାଜନୈତିକ ସମ୍ପର୍କକୁ ଉଲ୍ଲେଖ କରି ଓରାମ କହିଛନ୍ତି ଯେ ସେ ଦଳ ପାଇଁ ଦୀର୍ଘ ସମୟ ଧରି ପରିଶ୍ରମ କରିଛନ୍ତି। ଦଳ ମଧ୍ୟ ତାଙ୍କ ଅବଦାନକୁ ଚିହ୍ନି ତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛି ବୋଲି ସେ କହିଛନ୍ତି। ପାର୍ଟି ତାଙ୍କୁ ଯେଉଁ ସ୍ଥାନ ଦେଇଛି, ସେଥିରେ ସେ ସନ୍ତୁଷ୍ଟ ବୋଲି ମଧ୍ୟ ମତ ଦେଇଛନ୍ତି।
ନିଜର ନିର୍ବାଚନୀ ଭବିଷ୍ୟତକୁ ନେଇ ମଧ୍ୟ ଜୁଏଲ ଓରାମ ବଡ଼ ବୟାନ ଦେଇଛନ୍ତି। ପୂର୍ବରୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ। କିନ୍ତୁ ଏବେ ପୁଣି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ନିଜ ବିରୋଧରେ କାମ କରୁଥିବା ଲୋକଙ୍କୁ ସେ ଚିହ୍ନଟ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
ଓରାମଙ୍କ ଅଭିଯୋଗ ହେଉଛି, ଅନ୍ୟ ରାଜନୈତିକ ଦଳରୁ ବିଜେପିକୁ ଆସିଥିବା କିଛି ଲୋକ ଟଙ୍କା ଓ ପ୍ରଭାବ ବ୍ୟବହାର କରି ତାଙ୍କ ସ୍ଥିତିକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଏ ସମ୍ପର୍କରେ ସେ ଦଳର ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ଅବଗତ କରିଥିବା କହିଛନ୍ତି। ଆବଶ୍ୟକ ହେଲେ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ଜଣାଇବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି ତାକୁ ଜାଳି ଶେଷ କରିଦେବି।”
ଜୁଏଲଙ୍କ ଏହି ବୟାନ ପଛରେ ନିକଟରେ ରାଉରକେଲାରେ ଘଟିଥିବା ସର୍କିଟ୍ ହାଉସ ବିବାଦକୁ ନେଇ ଚର୍ଚ୍ଚା ମଧ୍ୟ ରହିଛି। ଏହି ଘଟଣାରେ ତାଙ୍କ ପ୍ରତିନିଧି ତଥା ବିଜେପି ନେତା ପ୍ରକାଶ ପାଶ୍ୱାନଙ୍କ ନାଁ ସାମ୍ନାକୁ ଆସିଥିଲା। ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଜୁଏଲ ଓରାମ କହିଥିଲେ ଯେ ତାଙ୍କ ବିରୋଧରେ କୌଣସି ଅଭିଯୋଗ ଥିଲେ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେବା ଉଚିତ ଏବଂ ଦୋଷୀ ପ୍ରମାଣିତ ହେଲେ ଆଇନ ଅନୁସାରେ ଦଣ୍ଡ ମିଳିବା ଉଚିତ। ଏହି ଘଟଣା ପରେ ଜୁଏଲ ନିଜ ବିରୋଧରେ ମିଥ୍ୟା ଓ ଉଦ୍ଦେଶ୍ୟପ୍ରଣୋଦିତ ପ୍ରଚାରକୁ ନେଇ ଆଇନଗତ ପଦକ୍ଷେପ ନେବାର ଚେତାବନୀ ମଧ୍ୟ ଦେଇଥିଲେ।