କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲରେ କମିବ ରନ୍ଧନ ତେଲ ବ୍ୟବହାର: ଉଚ୍ଚଶିକ୍ଷା ବିଭାଗର ପରାମର୍ଶ
ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ମାନିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି
ଭୁବନେଶ୍ୱର, ୨୮/୦୮: ଛାତ୍ରଛାତ୍ରୀଙ୍କ ଖାଦ୍ୟାଭ୍ୟାସକୁ ଅଧିକ ସ୍ୱାସ୍ଥ୍ୟକର କରିବା ଲକ୍ଷ୍ୟରେ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲ ମେସ୍ରେ ରନ୍ଧନ ତେଲର ବ୍ୟବହାର କମାଇବାକୁ ପରାମର୍ଶ ଦିଆଯାଇଛି। ଏନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଲୋକଙ୍କୁ ରନ୍ଧନ ତେଲର ବ୍ୟବହାର କମାଇବା ନେଇ କରାଯାଇଥିବା ଅପିଲ୍ ମାନିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ରାଜ୍ୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସାମ୍ସ ତଥ୍ୟ ଅନୁସାରେ ୧,୦୫୬ଟି ଡିଗ୍ରୀ କଲେଜ ରହିଛି।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲ ମେସ୍ରେ ଅଧିକ ତେଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ପରିମାଣ କମାଇବାକୁ କୁହାଯାଇଛି। ବିଶେଷକରି ପୁରୀ, ବରା, ଆଳୁଚପ ଭଳି ଅଧିକ ତେଲ ଆବଶ୍ୟକ କରୁଥିବା ଖାଦ୍ୟକୁ ବାରମ୍ବାର ପରିବେଷଣ ନକରିବାକୁ ପରାମର୍ଶ ଦିଆଯାଇଛି।
କେବଳ ଭଜା ଖାଦ୍ୟ ନୁହେଁ, ତରକାରୀ, ଡାଲି ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତି ସମୟରେ ମଧ୍ୟ ଆବଶ୍ୟକତାଠାରୁ ଅଧିକ ରନ୍ଧନ ତେଲ ବ୍ୟବହାର ନକରିବାକୁ କୁହାଯାଇଛି। ଖାଦ୍ୟର ସ୍ୱାଦ ଓ ପୁଷ୍ଟିକର ଗୁଣ ବଜାୟ ରଖି ତେଲର ପରିମାଣ କମାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ପାରମ୍ପରିକ ଭାବେ ବ୍ୟବହୃତ ଘିଅ, ସୋରିଷ ତେଲ ଓ ବାଦାମ ତେଲ ଭଳି ବିକଳ୍ପକୁ ଉତ୍ସାହିତ କରିବାକୁ ମଧ୍ୟ କୁହାଯାଇଛି। ତେବେ ଯେକୌଣସି ତେଲ ବା ଚର୍ବିର ଅତ୍ୟଧିକ ବ୍ୟବହାର ପରିବର୍ତ୍ତେ ସନ୍ତୁଳିତ ଖାଦ୍ୟାଭ୍ୟାସ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।