କେନ୍ଦୁଝର, ୨୮/୦୮: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟରେ ଲାଞ୍ଚ ନେବା ଅଭିଯୋଗରେ ଜଣେ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ (ଜେଆରଏ)ଙ୍କୁ ଭିଜିଲାନ୍ସ ଟିମ୍ ଧରିଛି। ଜମି ମ୍ୟୁଟେସନ୍ ଫାଇଲ୍ ପ୍ରକ୍ରିୟାକରଣ ଏବଂ ରେକର୍ଡ ଅଫ୍ ରାଇଟ୍ସ (ଆରଓଆର) ଜାରି କରିବା ପାଇଁ ସେ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।
ପଟଣା ତହସିଲଦାରଙ୍କ କାର୍ଯ୍ୟାଳୟରେ ଜେଆରଏ ଭାବେ କାର୍ଯ୍ୟରତ ବି.ଏଚ୍. ଉମାଶଙ୍କର ଜଣେ ଆବେଦନକାରୀ ନିଜ ଜମିର ମ୍ୟୁଟେସନ୍ ପାଇଁ ଜୁନ୍ ୩ ତାରିଖରେ ଅନଲାଇନ୍ରେ ଆବେଦନ କରିଥିଲେ। ପରେ ଆବେଦନର ସ୍ଥିତି ଜାଣିବାକୁ ଯାଇଥିବା ବେଳେ ଉମାଶଙ୍କର ଫାଇଲ୍ ପ୍ରକ୍ରିୟାକରଣ ପାଇଁ ୬ ହଜାର ଟଙ୍କା ଦାବି କରିଥିଲେ।
ଏହା ପରେ ଆବେଦନକାରୀ ଭିଜିଲାନ୍ସକୁ ଏନେଇ ଜଣାଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ଶୁକ୍ରବାର ତହସିଲ କାର୍ଯ୍ୟାଳୟ ନିକଟରେ ଆବେଦନକାରୀଙ୍କଠାରୁ ଉମାଶଙ୍କର ୬ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଏହା ପରେ ତାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଘଟଣା ପରେ ଅଭିଯୁକ୍ତ ଜେଆରଏଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।