ମଣିପୁରରେ ପୁଣି ହିଂସା

ଆକ୍ରମଣରେ ୪ ମୃତ, ଜଣେ ନିଖୋଜ

ମଣିପୁର, ୨୮/୦୮: ମଣିପୁରରେ ନାଗା-କୁକି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପୁଣି ହିଂସା ଘଟିଛି। କାଙ୍ଗପୋକପି ଜିଲ୍ଲାର ଏକ ଜଙ୍ଗଲି ଅଞ୍ଚଳରେ ଯାଉଥିବା ଏକ ଗାଡ଼ି ଉପରେ ଅଜଣା ସଶସ୍ତ୍ର ଆକ୍ରମଣକାରୀମାନେ ଆକ୍ରମଣ କରିବାରୁ ୪ ଜଣ ନାଗା ସମ୍ପ୍ରଦାୟର ଲୋକଙ୍କ ମୃତ୍ୟୁ ହୋଇଛି। ଆକ୍ରମଣରେ ଆଉ ଜଣେ ଆହତ ହୋଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି।

ଗୁରୁବାର ସକାଳ ପ୍ରାୟ ୮ଟା ୩୦ରେ କାଙ୍ଗପୋକପି ଜିଲ୍ଲାର ମାକୁଇ ଆଶାଙ୍ଗ ଓ ଥାବାମ୍ବା ନାଗା ଗାଁ ମଧ୍ୟରେ ଏହି ଘଟଣା ଘଟିଛି। ୪ ମୃତକ ହେଉଛନ୍ତି ଟାଡସୋଙ୍ଗବୋଉ ରିଙ୍ଗକାଙ୍ଗମାଇ, ମାରିଆକଡିବୋଉ ୱିଜୁନାମାଇ, ଅନିଲ ୱିଜୁନାମାଇ ଓ ୱିସୋବୋଉ ଚାରେନାମାଇ। ଗାଇକାମାଙ୍ଗ ରିଙ୍ଗକାଙ୍ଗମାଇ ଆହତ ହୋଇଛନ୍ତି। ଜାପୋଉ ଏମ୍‌କେ ନାମକ ଜଣେ ବ୍ୟକ୍ତିଙ୍କ ପତ୍ତା ମିଳୁନାହିଁ। ମୃତକଙ୍କ ମଧ୍ୟରୁ ଜଣେ ଏକ ଘରୋଇ ସ୍କୁଲର ପ୍ରଧାନଶିକ୍ଷକ ଥିବା ସୂଚନା ମିଳିଛି।

ଆକ୍ରମଣ ପଛରେ କୁକି ସଶସ୍ତ୍ର ଗୋଷ୍ଠୀର ସଦସ୍ୟଙ୍କ ହାତ ଥିବା ଅଭିଯୋଗ ହୋଇଛି। ୟୁନାଇଟେଡ୍ ନାଗା କାଉନସିଲ୍‌ (UNC) ଦୁଇଟି କୁକି ମିଲିଟାଣ୍ଟ ସଂଗଠନର ନାମ ନେଇଛି। ତେବେ ଏହି ଅଭିଯୋଗ ପଛରେ ଏପର୍ଯ୍ୟନ୍ତ ସତ୍ୟତା ପ୍ରମାଣିତ ହୋଇନାହିଁ। ଅନ୍ୟପଟେ କୁକି-ଜୋ ପକ୍ଷର ପ୍ରତିନିଧିମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବଢ଼ିଛି।

ଘଟଣାର ଗମ୍ଭୀରତାକୁ ଦେଖି ମଣିପୁର ମୁଖ୍ୟମନ୍ତ୍ରୀ ୱାଇ. କେମଚନ୍ଦ ସିଂହ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ କରିଛନ୍ତି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଗିରଫ କରିବା ଏବଂ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅବୈଧ ଅସ୍ତ୍ର ରଖୁଥିବା ଲୋକଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।