ଭୁବନେଶ୍ୱର, ୨୮/୦୮: ଖାଦ୍ୟର ମାନ ଓ ସୁରକ୍ଷା ଯାଞ୍ଚ ପାଇଁ ରାଜ୍ୟବ୍ୟାପୀ ଜୋରଦାର ଚଢ଼ାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପୌରାଞ୍ଚଳରେ ଥିବା ମିଠା ଦୋକାନ, ହୋଟେଲ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରତିଷ୍ଠାନରେ ଅଚାନକ ଯାଞ୍ଚ କରାଯାଉଛି। ବିଶେଷକରି ମିଠା ଓ ଅନ୍ୟ ଖାଦ୍ୟ ସାମଗ୍ରୀର ଗୁଣବତ୍ତା, ପ୍ରସ୍ତୁତି ପ୍ରଣାଳୀ ଏବଂ ସ୍ୱଚ୍ଛତା ଉପରେ ଯାଞ୍ଚକାରୀ ଟିମ୍ ଗୁରୁତ୍ୱ ଦେଇଛି।
ସୂଚନା ଅନୁସାରେ, ୩୦ଟି ଜିଲ୍ଲା ଓ ୬ଟି ପୌରାଞ୍ଚଳରେ ଥିବା ବିଭିନ୍ନ ମିଠା ଦୋକାନ ଓ ହୋଟେଲରେ ରେଡ୍ କରାଯାଇଛି। ଯାଞ୍ଚ ସମୟରେ ଖାଦ୍ୟର ମାନ ଠିକ୍ ନଥିବା, ଖାଦ୍ୟ ପ୍ରସ୍ତୁତି ଓ ସଂରକ୍ଷଣରେ ନିୟମ ଉଲ୍ଲଂଘନ ଭଳି ଅନିୟମିତତା ଥିବା ଜଣାପଡ଼ିଛି।
ଗତ ୩ ଦିନ ମଧ୍ୟରେ ହୋଟେଲ ଓ ମିଠା ଦୋକାନଗୁଡ଼ିକରୁ ୨ ଲକ୍ଷ ୮୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଯାଞ୍ଚ ବେଳେ ବହୁ ପରିମାଣର ନିମ୍ନମାନର ମିଠା ଓ ଖାଦ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ମୋଟ ୩୬୦୫ କେଜି ନିମ୍ନମାନର ମିଠା ଓ ଖାଦ୍ୟ ନଷ୍ଟ କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ଥିବାରୁ ଏହି ସାମଗ୍ରୀଗୁଡ଼ିକୁ ବଜାରରେ ବିକ୍ରି ନକରି ନଷ୍ଟ କରାଯାଇଛି।
ଏହାସହ ଯାଞ୍ଚ ସମୟରେ ବିଭିନ୍ନ ଖାଦ୍ୟ ପଦାର୍ଥରୁ ୪୭୫ଟି ନମୁନା ସଂଗ୍ରହ କରାଯାଇଛି। ଏହି ନମୁନାଗୁଡ଼ିକୁ ବୈଜ୍ଞାନିକ ପରୀକ୍ଷଣ ପାଇଁ ଲାବୋରେଟୋରୀକୁ ପଠାଯାଇଛି। ଲ୍ୟାବ୍ ରିପୋର୍ଟ ଆସିବା ପରେ ଖାଦ୍ୟରେ ନିର୍ଦ୍ଧାରିତ ମାନ ରହିଛି କି ନାହିଁ, ତାହା ସ୍ପଷ୍ଟ ହେବ।