ପ୍ରଳୟଙ୍କାରୀ ବନ୍ୟା: ବଢ଼ୁଛି ମୃତ୍ୟୁସଂଖ୍ୟା

୯୭୭ ନିଖୋଜ, ଅନେକ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ, ୨୮/୦୮: ନେପାଳରେ ଭୟଙ୍କର ଫ୍ଲାସ୍‌ ଫ୍ଲଡ୍‌ ଓ ଭୂସ୍ଖଳନ ପରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ନେପାଳ ପୁଲିସର ସଦ୍ୟତମ ତଥ୍ୟ ଅନୁସାରେ, ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ୫୪୭କୁ ବୃଦ୍ଧି ପାଇଛି। ଏହା ସହ ୯୭୭ ଜଣ ଏବେ ବି ନିଖୋଜ ଥିବା ନେପାଳର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୨୬ ଅଗଷ୍ଟରେ ନେପାଳ-ତିବ୍ବତ ସୀମା ନିକଟରେ ଭୋଟେ କୋଶୀ ନଦୀ ଅଞ୍ଚଳରେ ହଠାତ୍ ବନ୍ୟା ଆସିଥିଲା। ହିମବାହ ଧସିବା ସହ ବିପୁଳ ପରିମାଣର ବରଫ, ପଥର ଓ ପାଣି ତଳକୁ ଆସିବାରୁ ନଦୀରେ ଅଚାନକ ଜଳସ୍ତର ବଢ଼ିଯାଇଥିଲା। ଏହା ପ୍ରଭାବରେ ଘର, ରାସ୍ତା, ପୋଲ, ଜଳବିଦ୍ୟୁତ ପ୍ରକଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ନିଖୋଜ ଲୋକଙ୍କୁ ଖୋଜିବା ଏବଂ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରିବା ପାଇଁ ନେପାଳରେ ୧୪ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ପ୍ରାୟ ୩,୭୪୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ଖବର ମିଳିଛି। ଦୁର୍ଗମ ଅଞ୍ଚଳରେ ରାସ୍ତା ଓ ପୋଲ ନଷ୍ଟ ହୋଇଥିବାରୁ ହେଲିକପ୍ଟର ମାଧ୍ୟମରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି।

ଏହି ବିପର୍ଯ୍ୟୟରେ ନେପାଳୀ ନାଗରିକଙ୍କ ସହ ବହୁ ବିଦେଶୀ ନାଗରିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ନେପାଳର ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ୩୩ଟି ଦେଶର ୬୩୨ ଜଣଙ୍କ ମଧ୍ୟରୁ ୫୧୧ ଜଣଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ତଥ୍ୟ ମିଳିନାହିଁ।

ଭାରତୀୟ ନାଗରିକଙ୍କ ମଧ୍ୟରୁ ମଧ୍ୟ ଅନେକଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ଅନ୍ୟପଟେ କିଛି ଭାରତୀୟଙ୍କୁ ଉଦ୍ଧାର କରାଯାଇ ସାରିଛି।

ବନ୍ୟାରେ ଭିତ୍ତିଭୂମି ଧ୍ୱଂସ ହେବାରୁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଓ ପୋଲ ନଷ୍ଟ ହୋଇଥିବାରୁ ଉଦ୍ଧାର ଓ ରିଲିଫ୍‌ ସାମଗ୍ରୀ ପହଞ୍ଚାଇବାରେ ସମସ୍ୟା ହେଉଛି। ରେଡ୍‌କ୍ରସ୍‌ର ଆକଳନ ଅନୁସାରେ, ୯୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।