ନୁଆପଡା, ୨୯/୮ (ଦିଲିପ ଦଳପତି): ନୁଆପଡା ଜିଲ୍ଲା କୋମନା ବ୍ଳକ ପେଣ୍ଡାରାପଦର ଗାଁ ରେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଦେବା ଯୋଗୁଁ ଜଣେ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ଆସିଛି। ସୁଚନା ମୁତାବକ ଗତ ୨୫ ତାରିଖ ଦିନ କୋମନା ବ୍ଳକ ପେଣ୍ଡାରାପଦର ଗାଁ ଲଛନ୍ତି ମାଝୀ (୩୫) ନୁଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ଅଜୟ ପଣ୍ଡା ତାଙ୍କୁ ଇଞ୍ଜେକସନ ଦେଇ ଥିଲେ। ହେଲେ ଏହାର କିଛି ସମୟ ପରେ ଲଛନ୍ତିଙ୍କ ପେଟ ଫୁଲିଯାଇଥିଲା। ତାପରେ ଲଛନ୍ତିଙ୍କ ସ୍ବାମୀ ତୁଳସୀ ମାଝୀ ଏନେଇ ଡାକ୍ତରଙ୍କୁ ଜଣାଇ ଥିଲେ। ଏହା ପରେ ଡାକ୍ତର ମେଡିସିନ ଦେଇଥିଲେ। କିନ୍ତୁ ଗତ ରାତିରେ ଲଛନ୍ତିଙ୍କ ମୃତ୍ୟୁ ଘଟିଛି। ତେଣୁ ଭୁଲ ଇଞ୍ଜେକସନରୁ ମୃତ୍ୟୁ ଘଟିଥିବା ପରିବାର ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ସକାଳେ ଲଛନ୍ତିଙ୍କ ପରିବାର ଲୋକେ ଶବ ଧରି ନୁଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ କ୍ଷତିପୂରଣ ଓ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।