କାଠମାଣ୍ଡୁ, ୨୯/୦୮: ପ୍ରକୃତିର ତାଣ୍ଡବରେ ଛାରଖାର ନେପାଳ। ଆକସ୍ମିକ ବନ୍ୟାରେ ଏଯାଏଁ ୬୨୬ ଜଣଙ୍କ ମୃତ୍ୟୁ ହୋଇଥିବା ନେପାଳ ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ୨୪୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି।
ବନ୍ୟାର ପ୍ରଭାବରେ ଅନେକ ରାସ୍ତା, ବ୍ରିଜ୍, ଘର ଓ ଜଳବିଦ୍ୟୁତ ପ୍ରକଳ୍ପ ଭାଙ୍ଗି ଯାଇଛି। ବିଶେଷକରି ଭୋଟେକୋଶୀ ଓ ତ୍ରିଶୁଳୀ ନଦୀ ଅଞ୍ଚଳରେ ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ଆଗକୁ ଆହୁରି ବନ୍ୟା ଆସିବାର ଆଶଙ୍କା ଥିବାରୁ ଲୋକଙ୍କ ସହ ଉଦ୍ଧାରକାରୀ ଦଳକୁ ମଧ୍ୟ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି
ଚୀନର ସରକାରୀ ଗଣମାଧ୍ୟମ ଜିନହୁଆ ଅନୁସାରେ, ନେପାଳ ଓ ତିବ୍ବତରେ ମିଶି ୨୪୭୮ ଜଣଙ୍କ ଏଯାଏଁ ପତ୍ତା ମିଳୁନାହିଁ। ଏଥିରୁ ନେପାଳରେ ୧୯୨୪ ଜଣ ଏବଂ ତିବ୍ବତରେ ୫୫୪ ଜଣ ନିଖୋଜ ଅଛନ୍ତି। ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢ଼ିପାରେ।
ନେପାଳର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁସାରେ, ନିଖୋଜଙ୍କ ମଧ୍ୟରେ ୫୧୭ ଜଣ ବିଦେଶୀ ଯେଉଁମାନଙ୍କ ମଧ୍ୟରେ ପର୍ଯ୍ୟଟକ ଓ ବିଦେଶୀ ଶ୍ରମିକ ଅଛନ୍ତି। ଚୀନ ପକ୍ଷରେ ଆହୁରି ୨୬୦ ଜଣ ବିଦେଶୀ ନିଖୋଜ ଥିବା ରିପୋର୍ଟ ହୋଇଛି।
ନେପାଳ ଟୁରିଜିମ୍ ବୋର୍ଡ ଅନୁସାରେ, ବନ୍ୟା ଓ ଭୂସ୍ଖଳନ ପରେ ୧୨୧ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ତେବେ ସ୍ଥାନୀୟ ବାସିନ୍ଦା, ବିଦେଶୀ ଶ୍ରମିକ ଓ ଅନ୍ୟମାନଙ୍କୁ ମିଶାଇ ମୋଟ କେତେ ଜଣ ଉଦ୍ଧାର ହୋଇଛନ୍ତି, ତାହାର ସ୍ପଷ୍ଟ ତଥ୍ୟ ଏଯାଏଁ ମିଳିନାହିଁ।
ବନ୍ୟାରେ ରାସ୍ତା ନଷ୍ଟ ହୋଇଯିବାରୁ ଚୀନର ଉଦ୍ଧାରକାରୀ ଦଳ ଶୁକ୍ରବାର ସବୁଠାରୁ ଅଧିକ ପ୍ରଭାବିତ ଗ୍ୟିରୋଙ୍ଗ ସୀମା ଅଞ୍ଚଳରେ ପହଞ୍ଚିଥିଲା। ସର୍ଚ୍ଚ ଅପରେସନରେ ୨୧ ଜଣିଆ ଏକ ଟିମ୍ ସହ ଏକ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ କୁକୁର ମଧ୍ୟ ସାମିଲ ଥିଲା। କାଠମାଣ୍ଡୁ ଡାକ୍ତରଖାନାରେ ଚିକିତ୍ସା ପରେ ୧୪୦ ଜଣ ଡିସଚାର୍ଜ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ୪ ହଜାର ୮୧୧ ପୋଲିସ୍ କର୍ମଚାରୀ ନିୟୋଜିତ ଅଛନ୍ତି।