ଦିଗପହଣ୍ଡି, ୨୯/୦୮: ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ପାହାଡ଼ରେ ଶନିବାର ସକାଳୁ ମୋରମ୍ ଖାଦନ କରୁଥିବା ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ମୋରମକୁ ବେଆଇନ ଭାବେ ଚୋରାଚାଲାଣ କରିବା ପାଇଁଁ ଖାଦନ କରୁଥିବା ବେଳେ ପାହାଡ଼ରୁ ଏକ ବିରାଟକାୟ ପଥର ଖସି ପଡିଥିଲା । ଏହି ପଥର ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଜଣେ ଗୁରୁତର ଆହାତ ହୋଇ ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ଘର ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା କୁଶପଲ୍ଲୀ ଗ୍ରାମ । ମୃତକ ହେଲେ ବିନୋଦ ମଲ୍ଲିକ ଏବଂ ଗୁରୁତର ଜଣକ ହେଲେ ଗଣେଶ ମଲ୍ଲିକ । ଖବରନୁଯାୟୀ , ଦିଗପହଣ୍ଡି ତହସିଲ ଅଧୀନସ୍ଥ ଭୀଷ୍ମଗିରି ରାଜସ୍ବ ସର୍କଲ ଉସ୍ତପଲ୍ଲୀ ଗ୍ରାମ ନିକଟ ପାହାଡ଼ରୁ ମୋରମ ବେଆଇନ ଭାବେ ଟ୍ରାକ୍ଟର ଯୋଗେ ଚାଲାଣ ପାଇଁ ଖାଦାନରୁ ଖନନ ସମୟରେ ଏକ ବଡ଼ ପଥର ପାହାଡ଼ରୁ ଖସି ଆସିଥିଲା । ଯାହାଫଳରେ ବିନୋଦ ଏବଂ ଗଣେଶ ସେହି ପଥର ତଳେ ଚାପି ହୋଇ ରହି ଯାଇଥିଲେ । ଖବର ପ୍ରଚାରିତ ପରେ ଆଖପାଖ ଗ୍ରାମର ଲୋକଙ୍କ ମଧ୍ୟରେ ଭିଡ଼ ଜମିଥିଲା । ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପାଟପୁର ପୋଲିସ ପହଞ୍ଚି ଦୀର୍ଘ ସମୟର ପରିଶ୍ରମ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପଥର ଭିତରୁ ଉଦ୍ଧାର କରିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗଣେଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅପରପକ୍ଷରେ ଡାକ୍ତର ବିନୋଦକୁ ମୃତ ଘୋଷଣା କରିଥିଲେ । ଘଟଣାପରେ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ନଂ ୧୭/୨୬ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।