ସୁଟକେସରୁ ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣା: ୨୪ ଦିନ ପରେ ଅଭିଯୁକ୍ତ ଦମ୍ପତି ଗିରଫ
ଗିରଫ କଲା ମଣିପୁର ଏବଂ ତାମିଲନାଡୁ ପୋଲିସର ମିଳିତ ଟିମ୍
ଭୁବନେଶ୍ୱର, ୩୦/୦୮: ତାମିଲନାଡୁ ଏକ୍ସପ୍ରେସରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ୩୮ ବର୍ଷୀୟା ମହିଳା ହୟାଥୁନ୍ ନିଶାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଅଭିଯୋଗରେ ୨୪ ଦିନ ଫେରାର ଥିବା ଅଭିଯୁକ୍ତ ପତି-ପତ୍ନୀଙ୍କୁ ଗିରଫ କରାଯାଇଛି। ମଣିପୁର ଏବଂ ତାମିଲନାଡୁ ପୋଲିସର ଏକ ମିଳିତ ଟିମ୍ ମଣିପୁରର ଜିରିବାମ ଜିଲ୍ଲାରୁ ସେମାନଙ୍କୁ କାବୁ କରିଛି।
ଅଭିଯୁକ୍ତ ମାନେ ହେଲେ ଆସାମ କଚାର ଜିଲ୍ଲାର ମାଣିକ ଉଦ୍ଦିନ ଲସ୍କର (୨୨) ଏବଂ ତାଙ୍କ ପତ୍ନୀ ଓଡ଼ିଶା କେନ୍ଦୁଝର ଜିଲ୍ଲାର ଭାଗବତୀ ମାଝୀ (୨୧)।
ଅଗଷ୍ଟ ୫ ତାରିଖରେ ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ତାମିଲନାଡୁ ଏକ୍ସପ୍ରେସ୍ ପହଞ୍ଚିବା ପରେ ଯାତ୍ରୀମାନେ ଏକ ଅଣସଂରକ୍ଷିତ ଡବାରେ ଥିବା ଲାଲ ସୁଟକେସରୁ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ କରିଥିଲେ। ସରକାରୀ ରେଳବାଇ ପୋଲିସ (GRP) ସୁଟକେସ୍ ଖୋଲିବା ପରେ ସେଥିରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଓ ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର କରିଥିଲା।ଏହା ପରେ ଆରମ୍ଭ ହୋଇଥିଲା ତନାଘନା। ଚେନ୍ନାଇ ସେଣ୍ଟ୍ରାଲ୍ ଷ୍ଟେସନର ଫୁଟେଜରେ ଲସ୍କର ଓ ଭାଗବତୀ ଏକ ଭାରୀ ଲାଲ ସୁଟକେସ୍ ବୋହି ନେଉଥିବା ଦେଖାଯାଇଥିଲା। ଏହା ପରେ ଗୁଡୁଭାଞ୍ଚେରୀସ୍ଥିତ ସେମାନଙ୍କ ଭଡ଼ା ଘରୁ ଏକ ବଡ଼ ରୋଷେଇ ପାତ୍ର ଭିତରୁ ମୃତଦେହର ଅନ୍ୟାନ୍ୟ ଅଂଶ ମିଳିଥିଲା।
ତେବେ ପ୍ରଥମେ ଗୁଡୁଭାଞ୍ଚେରୀ ଥାନାରେ ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ ଶରୀରର ଅଂଶ ମିଳିବା ପରେ ଏହାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରାଯାଇଥିଲା। ଏହା ପରେ ତାମିଲନାଡୁ ଓ ମଣିପୁର ପୋଲିସ ପକ୍ଷରୁ ମିଳିତ ଭାବେ ତଦନ୍ତ କରାଯାଇ ମଣିପୁରରୁ ସେମାନଙ୍କୁ ଗିରଫ କରାଯାଇଛି।
ମଣିପୁର ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କୁ ଗୁଡୁଭାଞ୍ଚେରୀ ଥାନାର SHOଙ୍କୁ ହସ୍ତାନ୍ତର କରାଯାଉଛି। ସେମାନଙ୍କୁ ମଣିପୁରର ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇ ଟ୍ରାଞ୍ଜିଟ୍ ୱାରେଣ୍ଟରେ ତାମିଲନାଡୁ ନିଆଯିବ। ଅଭିଯୁକ୍ତମାନଙ୍କୁ ଜେରା କରାଯିବା ପରେ ହିଁ ଏହି ନିର୍ମମ ହତ୍ୟାକାଣ୍ଡ ପଛର ଅସଲ କାରଣ ସ୍ପଷ୍ଟ ହେବ।
ମୃତକ ହେଉଛନ୍ତି ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ହୟାଥୁନ୍ ନିଶା (୩୮)। ସେ ଚେନ୍ନାଇ ନିକଟସ୍ଥ ଗୁଡୁଭାଞ୍ଚେରୀରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଦୀର୍ଘ ବର୍ଷ ଧରି ସେ ସେଠାରେ ରହୁଥିଲେ। ତାଙ୍କ ସହ ଶାଶୁ ରହୁଥିଲେ ମଧ୍ୟ ଗତ ୫ ବର୍ଷ ତଳେ ଓଡ଼ିଶା ଚାଲି ଆସିଥିଲେ।