‘ମନ କି ବାତ୍’ରେ ଓଡ଼ିଶାର ପ୍ରେରଣାଦାୟୀ ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନିଶାମୁକ୍ତ ଯୁବ ଓ ବିକଶିତ ଭାରତ ଗଠନ ପାଇଁ ଜନଭାଗିଦାରୀର ଆହ୍ୱାନ: ଗୋଲକ ମହାପାତ୍ର

ଭୁବନେଶ୍ୱର, ୩୦/୦୮: ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୩୭ତମ ଅଧ୍ୟାୟ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରଶାନ୍ତି ବିହାରସ୍ଥିତ ବୁଥ୍ ନମ୍ବର–୩୮ରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ମିଶି ଶୁଣିଥିଲେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର।

ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ, ‘ମନ କି ବାତ୍’ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶର କୋଣ ଅନୁକୋଣରେ ଘଟୁଥିବା ପ୍ରେରଣାଦାୟୀ କାର୍ଯ୍ୟ, ସାଧାରଣ ଲୋକଙ୍କ ସଫଳତା, ନୂଆ ଚିନ୍ତାଧାରା ଏବଂ ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀକୁ ସମଗ୍ର ଦେଶ ସମ୍ମୁଖରେ ଆଣିବାର ଏକ ଅନନ୍ୟ ମାଧ୍ୟମ।

ଆଜିର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀ ‘ନଶାମୁକ୍ତ ଯୁବ, ବିକଶିତ ଭାରତ’ ଗଠନ ଉପରେ ବିଶେଷ ଗୁରୁତ୍ୱ ଦେବା ସହ ଯୁବପିଢ଼ିଙ୍କୁ ନିଶା ବିରୋଧୀ ସଚେତନତା ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ କରିଥିଲେ। ଏହାସହ ସ୍ଥାନୀୟ ଉତ୍ପାଦ ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେଇ ଆତ୍ମନିର୍ଭର ଭାରତ ଗଠନରେ ସମସ୍ତଙ୍କ ଭାଗିଦାରୀ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ବିଶେଷକରି ଆଜିର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଓଡ଼ିଶାର ପ୍ରେରଣାଦାୟୀ ଜନସେବା ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ହେଉଥିବା ଉଲ୍ଲେଖନୀୟ ପ୍ରୟାସକୁ ସମଗ୍ର ଦେଶ ସମ୍ମୁଖରେ ଉଲ୍ଲେଖ କରିଥିଲେ। ଓଡ଼ିଶାର ଦେବ୍ରିଗଡ଼ ଅଞ୍ଚଳର ମୈଥିଲୀ ଭୁଏଙ୍କ ଜଙ୍ଗଲ ସଂରକ୍ଷଣ ଏବଂ ଇକୋ-ଟୁରିଜମ୍ ମାଧ୍ୟମରେ ସ୍ଥାନୀୟ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ପ୍ରେରଣାଦାୟୀ ପ୍ରୟାସକୁ ପ୍ରଧାନମନ୍ତ୍ରୀଜୀ ପ୍ରଶଂସା କରିଥିଲେ। ଏହା ସମଗ୍ର ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ।

ପ୍ରଧାନମନ୍ତ୍ରୀଜୀଙ୍କ ଏହି ଉଲ୍ଲେଖ ପ୍ରମାଣ କରୁଛି ଯେ, ନିଷ୍ଠା ଓ ସମର୍ପଣର ସହ କରାଯାଇଥିବା ଛୋଟ ଛୋଟ ପ୍ରୟାସ ମଧ୍ୟ ସମାଜରେ ବଡ଼ ପରିବର୍ତ୍ତନ ଆଣିପାରେ। ଓଡ଼ିଶାର ମାଟିରୁ ଉଠିଆସୁଥିବା ଏଭଳି ପ୍ରେରଣାଦାୟୀ କାହାଣୀ କେବଳ ଆମ ରାଜ୍ୟ ନୁହେଁ, ସମଗ୍ର ଦେଶର ଯୁବପିଢ଼ି ଓ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛି।

ଶ୍ରୀ ମହାପାତ୍ର କହିଥିଲେ ଯେ, ସମାଜର ବିଭିନ୍ନ କ୍ଷେତ୍ରରେ ନିଷ୍ଠା, ପରିଶ୍ରମ ଓ ସମର୍ପଣର ସହ କାର୍ଯ୍ୟ କରୁଥିବା ଅନେକ ଅଜଣା ନାୟକଙ୍କ ପ୍ରେରଣାଦାୟୀ କାହାଣୀ ଆମକୁ ନିଜ ଦାୟିତ୍ୱ ପ୍ରତି ଅଧିକ ସଚେତନ କରିଥାଏ। ଦେଶର ବିକାଶ କେବଳ ସରକାରଙ୍କ ପ୍ରୟାସରେ ସମ୍ଭବ ନୁହେଁ; ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଓ ସକାରାତ୍ମକ ଭାଗିଦାରୀ ଦ୍ୱାରା ହିଁ ଏକ ବିକଶିତ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନ ସାକାର ହୋଇପାରିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ପ୍ରେରଣାଦାୟୀ ଚିନ୍ତାଧାରା ଓ ଆହ୍ୱାନ ଆମ ସମସ୍ତଙ୍କୁ ‘ରାଷ୍ଟ୍ର ପ୍ରଥମ’ ଭାବନାରେ ଉଦ୍ବୁଦ୍ଧ କରିବା ସହ ନିଜ ନିଜ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିବା ପାଇଁ ନୂଆ ଉତ୍ସାହ ଓ ପ୍ରେରଣା ପ୍ରଦାନ କରୁଛି।

ଶ୍ରୀ ମହାପାତ୍ର ଆହ୍ୱାନ ଦେଇ କହିଥିଲେ ଯେ, ଆସନ୍ତୁ ଆମେ ସମସ୍ତେ ଏକତ୍ରିତ ହୋଇ ସେବା, ସମର୍ପଣ ଓ ଜନଭାଗିଦାରୀର ଭାବନାକୁ ଆଧାର କରି ଏକ ନିଶାମୁକ୍ତ, ସଶକ୍ତ, ସମୃଦ୍ଧ, ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନ ଦିଗରେ ନିଜ ନିଜର ସକ୍ରିୟ ଯୋଗଦାନ ରଖିବା।