ହିନ୍ଦୋଳରେ ଚାଞ୍ଚଲ୍ୟ! ମୃତ ସନାତନ ହେଲେ ପୁନଃର୍ଜୀବିତ

ଶବସତ୍କାରର ମାସେ ପରେ ଘରକୁ ଫେରିଲେ ସନାତନ

ହିନ୍ଦୋଳ, ୩୧/୦୮: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଘଟିଛି ଆଶ୍ଚର୍ଯ୍ୟଜନକ ଚାଞ୍ଚଲ୍ୟକର ଘଟଣା ମୃତ୍ୟୁଘୋଷଣାର ମାସେପରେ ଘରକୁ ଫେରିଲା ପୁଅ ଯାହାକୁ ନେଇ ଉପଖଣ୍ଡରେ ଚର୍ଚ୍ଚା ଜୋର ଧରିଛି। ଖବରରୁ ପ୍ରକାଶ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ବିର୍ଷିଙ୍ଗା ଗ୍ରାମର ଲିଙ୍ଗରାଜ ନାଏକ ଓ ମଞ୍ଜୁ ନାଏକଙ୍କ ମାନସିକ ବିକାରଗ୍ରସ୍ଥ ପୁଅ ସନାତନ ନାଏକ ପ୍ରାୟ ମାସେ ତଳେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି ଜାରି ରଖିଥିବାବେଳେ ଗତ ଜୁଲାଇ ୨୭ ତାରିଖରେ ରାସୋଳ ଥାନା କୁନୁଆଁ ଗାଁ’ର ଏକ ଚାଷଜମିରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଦେହକୁ ରାସୋଳ ପୋଲିସ ପକ୍ଷରୁ ବ୍ୟବଚ୍ଛେଦ କରି ସତ୍କାର କରାଯାଇଥିଲା।ତେବେ ଗଣମାଧ୍ୟମରେ ଖବରପ୍ରସାରିତ ହେବାପରେ ପରିବାର ଲୋକେ ରାସୋଳ ଥାନାରେ ପହଞ୍ଚି ଶବଟି ସନାତନଙ୍କର ବୋଲି ଦାବି କରି ସନାତନଙ୍କର ଶୁଦ୍ଧିକ୍ରିୟା ରୀତିନୀତି ପାଳନ କରିଥିଲେ।

ହଠାତ୍ ମାସେ ପରେ ସନାତନ ନାଏକ ଜୀବିତ ଅବସ୍ଥାରେ ଘରକୁ ଫେରିଆସିଥିଲେ ଯାହାକୁନେଇ ସମସ୍ତେ ଆଚମ୍ବିତ ।ତେବେ ସବୁଠାରୁ ବଡ଼ ପ୍ରଶ୍ନ ଏବେ ଉଠୁଛି—ଜୁଲାଇ ୨୭ ତାରିଖରେ କୁନୁଆଁ ଗାଁ ଚାଷ ଜମିରୁ ଉଦ୍ଧାର ହୋଇଥିବା ସେହି ଗଳିତ ମୃତଦେହଟି କାହାର?

ସନାତନ ଜୀବିତ ଥିବା ସ୍ପଷ୍ଟ ହେବା ପରେ ମୃତଦେହର ପରିଚୟ ନେଇ ରହସ୍ୟ ଆହୁରି ଘନୀଭୂତ ହୋଇଛି।ତେବେ ଉଦ୍ଧାର ଶବର ଡ଼ିଏନଏ ଟେଷ୍ଟ ପାଇଁ ରସୋଳ ପୋଲିସ ପଠାଇଥିବାବେଳେ ମୃତକ ଅଜଣା ବ୍ୟକ୍ତିଙ୍କ ଶବ ଚି଼ହ୍ନଟ ନହୋଇପାରିବା, ସନାତନ ନିଖୋଜ କିମ୍ବା ମୃତ ବୋଲି ସଠିକ ତଦନ୍ତ କରାନଯିବା ଇତ୍ୟାଦିକୁ ନେଇ ଜନସାଧାରଣ ସନ୍ଦେହ ଘେରରେ ଥିବାବେଳେ ଏବେ ପୁଲିସର ତଦନ୍ତ କେଉଁ ଦିଗକୁ ଯିବ ତାହା ଦେଖିବାକୁ ବାକି ରହିଲା?