ବିପର୍ଯ୍ୟୟ ଆଣିଲା ପ୍ରବଳ ବର୍ଷା ଓ ଭୂସ୍ଖଳନ

୭ ମୃତ, ୧୭୦ରୁ ଅଧିକ ରାସ୍ତା ବନ୍ଦ; ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

ଡେରାଡୁନ, ୦୨/୦୯: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ନିକଟରେ ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନ୍ତତଃ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୦ରୁ ଅଧିକ ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଘରର କାନ୍ଥ ଭାଙ୍ଗିଯିବାରୁ ଦୁଇଟି ପୃଥକ ଘଟଣାରେ ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଛି। ହବାଲବାଗ୍ ବ୍ଲକର ଓଡ଼ିଉଡ଼ା ଗାଁରେ ଗୋଟିଏ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏକା ପରିବାରର ୩ ଜଣଙ୍କ ପ୍ରାଣ ଯାଇଛି। ସେହିପରି ଅଲମୋଡ଼ା ସହରର ଧରକିତୁନି ଅଞ୍ଚଳରେ ଅନ୍ୟ ଏକ ଘରର କାନ୍ଥ ଭାଙ୍ଗିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ଡେରାଡୁନରେ ପ୍ରବଳ ସ୍ରୋତରେ ଏକ କାର୍ ଭାସିଯିବା ଫଳରେ ୨ ଜଣ ପ୍ରାଣ ହରାଇଛନ୍ତି। ସାରା ରାଜ୍ୟରେ ଭୂସ୍ଖଳନ ଏବଂ ପାହାଡ଼ରୁ ମାଟି-ପଥର ଧସିବା ଯୋଗୁଁ ୧୭୦ରୁ ଅଧିକ ଛୋଟ-ବଡ଼ ରାସ୍ତା ବନ୍ଦ ହୋଇଯାଇଛି।

ଡେରାଡୁନ-ମସୁରୀ ମୁଖ୍ୟ ରାଜପଥରେ ବାରମ୍ବାର ଭୂସ୍ଖଳନ ଏବଂ ବଡ଼ ବଡ଼ ପଥର ଖସିବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ନୈନିତାଲ୍, ପିଥୋରାଗଡ଼, ବାଗେଶ୍ୱର ଏବଂ ଚମ୍ପାୱତ୍ ଆଦି ଅଞ୍ଚଳରେ ଅନେକ ଗାଁର ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି।

ପ୍ରବଳ ବର୍ଷା ହେତୁ ଗଙ୍ଗା, ଯମୁନା, ଗୌଲା ଏବଂ ବିନ୍ ଭଳି ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଆଡ଼କୁ ବୃଦ୍ଧି ପାଉଛି। ଋଷିକେଶ ଓ ହଲଦ୍ୱାନୀ ଅଞ୍ଚଳରେ ନଦୀ-ନାଳର ପ୍ରବଳ ସ୍ରୋତ ଯୋଗୁଁ ଆଖପାଖ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଛି।

ଅନ୍ୟପଟେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲା ପାଇଁ ରେଡ୍ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍କୁଲ ଓ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଏସଡିଆରଏଫର ଏବଂ ସ୍ଥାନୀୟ ପୋଲିସ ଟିମ୍ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଏବଂ ପର୍ଯ୍ୟଟକଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବାକୁ ଏବଂ ପାହାଡ଼ିଆ ରାସ୍ତାରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି।