ଚେନ୍ନାଇ, ୦୨/୦୯: ତାମିଲନାଡୁର ୫୨ଟି ପ୍ରମୁଖ ମନ୍ଦିରରେ ସ୍ମାର୍ଟଫୋନ୍ ବ୍ୟବହାର ଓ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଧାର୍ମିକ ସ୍ଥଳଗୁଡ଼ିକର ପବିତ୍ରତା ଓ ଶାନ୍ତି ବଜାୟ ରଖିବା ପାଇଁ ତାମିଲନାଡୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।
ମନ୍ଦିରରେ ପ୍ରବେଶ ପାଇଁ କିଛି ନିୟମ ଲାଗୁ କରାଯାଇଛି। ମନ୍ଦିର ଭିତରକୁ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସେମାନଙ୍କ ସ୍ମାର୍ଟଫୋନ୍ ମନ୍ଦିର ବାହାରେ ଥିବା ସ୍ୱତନ୍ତ୍ର କାଉଣ୍ଟରରେ ଜମା କରିବାକୁ ପଡ଼ିବ। ପ୍ରତି ମୋବାଇଲ୍ ଫୋନ୍ ପାଇଁ ୫ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। କିନ୍ତୁ କ୍ୟାମେରା ନଥିବା ସାଧାରଣ ଫୋନ୍ (କି-ପ୍ୟାଡ ମୋବାଇଲ) ନେବା ପାଇଁ ଅନୁମତି ରହିଛି।
କାଉଣ୍ଟରରେ ମୋବାଇଲ୍ ଜମା କରିବା ସମୟରେ ଶ୍ରଦ୍ଧାଳୁଙ୍କ ଫଟୋ, ଫୋନ୍ ନମ୍ବର ଓ ମୋବାଇଲ୍ ମଡେଲ୍ ସଂଗ୍ରହ କରାଯାଇ ଏକ ରସିଦ ଓ ଟୋକନ୍ ଦିଆଯାଉଛି। ଦର୍ଶନ ସାରି ସେହି ରସିଦ୍ ଦେଖାଇ ଶ୍ରଦ୍ଧାଳୁମାନେ ନିଜ ଫୋନ୍ ଫେରସ୍ତ ନେଇପାରିବେ।
ଅନେକ ସମୟରେ ବିଶେଷ କରି ଯୁବପିଢ଼ି ମନ୍ଦିର ପରିସର ମଧ୍ୟରେ ଫଟୋ ଉଠାଇବା, ଭିଡିଓ ରେକର୍ଡିଂ କରିବା ଏବଂ ସୋସିଆଲ୍ ମିଡିଆ ପାଇଁ ରିଲ୍ସ ତିଆରି କରୁଥିବା ଦେଖାଯାଉଥିଲା। ଏହାଦ୍ୱାରା ଅନ୍ୟ ଶ୍ରଦ୍ଧାଳୁଙ୍କ ଦର୍ଶନରେ ବାଧା ସୃଷ୍ଟି ହେବା ସହ ମନ୍ଦିରର ଶାନ୍ତ ଓ ଧାର୍ମିକ ପରିବେଶ ନଷ୍ଟ ହେଉଥିଲା।
ହିନ୍ଦୁ ଧାର୍ମିକ ଏବଂ ଚାରିଟେବୁଲ୍ ଏଣ୍ଡୋମେଣ୍ଟ (HR&CE) ବିଭାଗ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି। ଏହା ମାନ୍ଦ୍ରାଜ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ୍ ଦ୍ୱାରା ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଆଧାରରେ କାର୍ଯ୍ୟକାରୀ ହୋଇଛି।
କାଞ୍ଚିପୁରମ୍ର ଦେବରାଜସ୍ୱାମୀ-ଅଥି ବରଦାର ମନ୍ଦିର ସମେତ ରାଜ୍ୟର ୫୨ଟି ମୁଖ୍ୟ ମନ୍ଦିରରେ ଏହି ବ୍ୟବସ୍ଥା କଡ଼ାକଡ଼ି ଭାବେ ଆରମ୍ଭ କରାଯାଇଛି। ମନ୍ଦିର ପ୍ରବେଶପଥ ଓ ପାର୍କିଂ ସ୍ଥଳଗୁଡ଼ିକରେ ବୋର୍ଡ ମାଧ୍ୟମରେ ଏବଂ ଲାଉଡସ୍ପିକରରେ ଏ ସମ୍ପର୍କରେ ସୂଚନା ଦିଆଯାଉଛି।