ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ

ପଞ୍ଜୀକରଣ ଅବଧି ଆଉ ବୃଦ୍ଧି କରାଯିବ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର, ୦୭/୦୯: ଓଡ଼ିଶାରେ ଚଳିତ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସୂଚନା ଅନୁଯାୟୀ, ରବିବାର ସୁଦ୍ଧା ରାଜ୍ୟସାରା ମୋଟ ୨୧,୪୨,୭୨୩ ଜଣ ଚାଷୀ ସେମାନଙ୍କର ପଞ୍ଜୀକରଣ କାର୍ଯ୍ୟ ଶେଷ କରିସାରିଛନ୍ତି।

ଚାଷୀ ପଞ୍ଜୀକରଣର ସମୟସୀମାକୁ ଆଉ ଆଗକୁ ବଢ଼ାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପୂର୍ବରୁ ୭ ଦିନର ଅତିରିକ୍ତ ସମୟ ପ୍ରଦାନ କରିଥିଲେ। ଚାଷୀମାନେ ସୋମବାର ରାତି ୧ଟା ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ, ଯାହା ପରେ ଏହି ସମୟସୀମା ସ୍ଥାୟୀ ଭାବେ ବନ୍ଦ ହୋଇଯିବ।

ଗତବର୍ଷ ଧାନ ବିକ୍ରି ପାଇଁ ପ୍ରାୟ ୧୯.୬୭ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ଏହି ସଂଖ୍ୟା ୨୧ ଲକ୍ଷ ଟପି ସାରିଥିବାରୁ ଏହା ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚାଷୀଙ୍କ ପାଇଁ ସାର ଯୋଗାଣ ପ୍ରତି ମଧ୍ୟ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ରାଜ୍ୟରେ ୨୪,୪୦୦ ଟନ୍ ସାର ମହଜୁଦ ରହିଛି। ସାର ବଣ୍ଟନରେ କୌଣସି ପ୍ରକାରର ଅବହେଳା କିମ୍ବା ବେଆଇନ୍ କାର୍ଯ୍ୟକଳାପ କରୁଥିବା ଡିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିଲମ୍ବନ କରାଯିବା ସହ ଲାଇସେନ୍ସ ରଦ୍ଦ କରାଯାଉଛି।