ଭିଡିଓ ପାଇଁ ଝିଅକୁ ମାରିଦେଲେ ବାପା-ଭାଇ

ହିଟ୍‌-ଆଣ୍ଡ-ରନ୍‌ ପଛରେ ଅନର କିଲିଂ

ଗୁଜରାଟ, ୦୯/୦୯: ଗତ ଅଗଷ୍ଟ ୧୨ରେ ଅହମ୍ମଦାବାଦର ଜଣେ ୨୨ ବର୍ଷୀୟା ଯୁବତୀ ସୋଫିଆ ଫାରୁକଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ମନେ କରାଯାଉଥିଲା। କିନ୍ତୁ ପରେ ପୋଲିସ ହାତରେ ଲାଗିଛି ବଡ଼ ସୁରାକ। ସୋଫିଆଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ। ବରଂ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।

ପୋଲିସ କହିଛି ଯେ ତଦନ୍ତ ପରେ ଜଣାପଡ଼ିଛି ଯେ ଜଣେ ଯୁବକଙ୍କ ସହିତ ତାଙ୍କର ଏକ ଭିଡିଓ ଭାଇରାଲ ହେବାରୁ ପରିବାର ସମ୍ମାନ ହାନି ଭୟରେ ତାଙ୍କ ବାପା ଏବଂ ଭାଇ ତାଙ୍କୁ ହତ୍ୟା କରିଛନ୍ତି। ଏହି ମାମଲାରେ ସୋଫିଆଙ୍କ ବାପା ତଥା ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଫାରୁକ ନବାବଖାନ (୫୬) ଏବଂ ତାଙ୍କ ଭାଇ ମହମ୍ମଦ ହାବିଲ ଫାରୁକଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତମାନେ ତାଙ୍କୁ ଲୁହା ହାତୁଡ଼ିରେ ଆକ୍ରମଣ କରିଥିଲେ ଏବଂ ପରେ ତଦନ୍ତକାରୀଙ୍କୁ ଭ୍ରମିତ କରିବା ପାଇଁ ତାଙ୍କ ମୃତ୍ୟୁକୁ ଏକ ସଡ଼କ ଦୁର୍ଘଟଣା ବୋଲି ନାଟକ ରଚିଥିଲେ ବୋଲି ପୋଲିସ କହିଛି।

ସୋଫିଆ ତାଙ୍କ ଭାଇ ହାବିଲଙ୍କ ସହିତ ରାତି ପ୍ରାୟ ୧୧ଟା ସମୟରେ ଚେଲାଜପୁରା ଚାର ରାସ୍ତା ନିକଟରେ ଏକ ମୋଟରସାଇକେଲରେ ଯାତ୍ରା କରୁଥିଲେ। ସେତେବେଳେ ଏକ ଗାଡ଼ି ସେମାନଙ୍କ ମୋଟରସାଇକେଲକୁ ପଛରୁ ଧକ୍କା ଦେଇ ପଳାଇ ଯାଇଥିଲା ବୋଲି କହିଥିଲେ।

ପୋଲିସ ପ୍ରଥମେ ମାମଲାଟିକୁ ହିଟ୍-ଆଣ୍ଡ-ରନ୍ ଭାବରେ ନେଇ କରିଥିଲା। ସୋଫିଆଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ଏବଂ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ପରେ ତାଙ୍କୁ ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ଅଗଷ୍ଟ ୧୩ ତାରିଖ ସକାଳ ପ୍ରାୟ ୫ଟାରେ ମୃତ୍ୟୁ ହୋଇଥିଲା।

କିନ୍ତୁ ତଦନ୍ତ ବେଳେ ପୋଲିସ ଜାଣିପାରିଲା ଯେ ହିଟ୍-ଆଣ୍ଡ-ରନ୍ ଅଭିଯୋଗ ମିଛ ଥିଲା। ତଦନ୍ତକାରୀମାନେ ଜାଣିବାକୁ ପାଇଥିଲେ ଯେ ସୋଫିଆଙ୍କ ଜଣେ ଯୁବକଙ୍କ ସହିତ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁ ଭିଡିଓଟି ପରିବାରର ସମ୍ମାନକୁ ପ୍ରଭାବିତ କରିବ ବୋଲି ଭୟ କରି ତାଙ୍କ ବାପା ଏବଂ ଭାଇ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସୋଫିଆଙ୍କୁ ଲୁହା ହାତୁଡିରେ ଅନେକ ଥର ଆକ୍ରମଣ କରିଥିଲେ। ଏହା ପରେ ଦୁର୍ଘଟଣାର‌ ରୂପ ଦେବା ପାଇଁ ନାଟକ ରଚାଯାଇଥିଲା। ଉଭୟ ବାପା ଓ ପୁଅଙ୍କୁ ଗିରଫ କରାଯାଇଛି।