ସାଂସଦଙ୍କ ଉପସ୍ଥିତିରେ ଅନୁଗୋଳ ଜିଲ୍ଲାର ଆରପିଡିଏସି ଓ ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ

ଖଣି ପ୍ରଭାବିତ ଗ୍ରାମଗୁଡ଼ିକର ସମସ୍ୟା, କ୍ଷତିପୂରଣ, ଥଇଥାନ ଏବଂ ରିହାବିଲିଟେସନ୍ କଲୋନୀଗୁଡ଼ିକର ସୁପରିଚାଳନା ସମ୍ପର୍କିତ ଏଜେଣ୍ଡା ଉପରେ ସମୀକ୍ଷା

ଅନୁଗୋଳର ବିକାଶ ଓ ବିସ୍ଥାପିତଙ୍କ କଲ୍ୟାଣ ପାଇଁ ହେବ ‘ମାଷ୍ଟର ପ୍ଲାନ୍’: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ, ୦୯/୦୯: ଅନୁଗୋଳ ଜିଲ୍ଲାର ଖନନ ପ୍ରଭାବିତ ଜନସାଧାରଣଙ୍କ ବିକାଶ, ଉପଯୁକ୍ତ ଥଇଥାନ, ଉଚିତ୍ କ୍ଷତିପୂରଣ ଏବଂ ସାମାଜିକ-ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆଜି ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍‌ (ଏମସିଏଲ) ର ୧୬ତମ ଆରପିଡିଏସି ଏବଂ ୧୨ତମ ଡିଏମଏଫ୍ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆରପିଡିଏସି ବୈଠକରେ ଖଣି ପ୍ରଭାବିତ ଗ୍ରାମଗୁଡ଼ିକର ସମସ୍ୟା, ଜମି ଅଧିଗ୍ରହଣ, ବିସ୍ଥାପିତଙ୍କୁ ଉଚିତ୍ କ୍ଷତିପୂରଣ, ଥଇଥାନ ଏବଂ ରିହାବିଲିଟେସନ୍ କଲୋନୀଗୁଡ଼ିକର ସୁପରିଚାଳନା ସମ୍ପର୍କିତ ୨୧ଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା। ଖଣି ଅଞ୍ଚଳର ଆଗାମୀ ଦିନର ବିକାଶ, ସମୁଚିତ ଥଇଥାନ, ବିକଳ୍ପ ରୋଜଗାର ଓ ଆନୁଷଙ୍ଗିକ ସୁବିଧା ପାଇଁ ଏସିଏଏଲକୁ ଏକ ବ୍ୟାପକ ‘ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କ ଜମି, କ୍ଷତିପୂରଣ ଓ ନିଯୁକ୍ତି ସମ୍ବନ୍ଧୀୟ ସମସ୍ୟାର ସହଜ ଓ ତ୍ୱରିତ ସମାଧାନ ପାଇଁ ଏକ ‘ୱେବ୍ ପୋର୍ଟାଲ୍’ ବା ଓ୍ୱାନ ଷ୍ଟପ୍ ସଲ୍ୟୁସନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି।

ସ୍ଥାନୀୟ ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ଏମସିଏଲରର ସେଣ୍ଟ୍ରାଲ ୱାର୍କସପ୍‌କୁ ଅପଗ୍ରେଡ୍ କରି ମାଇନିଂ ସେକ୍ଟର ପାଇଁ ଏକ ‘ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ’ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି। ତାଳଚେର-ଅନୁଗୋଳ ଅଞ୍ଛଳରେ ବଢ଼ୁଥିବା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଖଣି ଦ୍ୱାରା କ୍ଷୟ ହେଉଥିବା ଜଙ୍ଗଲର କ୍ଷତିଭରଣା ସ୍ୱରୂପ ବର୍ତ୍ତମାନର ଫରେଷ୍ଟ ଆକ୍ଟ ଅନୁସାରେ ଦୁଇଗୁଣା ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହାବ୍ୟତୀତ ଡିଏମଏଫ୍ ଟ୍ରଷ୍ଟ ବୋର୍ଡ ବୈଠକରେ ଖଣିଜ ରାଜସ୍ୱ ପାଣ୍ଠିର ସଠିକ୍ ଓ ସ୍ୱଚ୍ଛ ବିନିଯୋଗ ମାଧ୍ୟମରେ ଅଞ୍ଚଳର ଭିତ୍ତିଭୂମି ଓ ଜନସାଧାରଣଙ୍କ ସେବା ପାଇଁ ପ୍ରକଳ୍ପଗୁଡ଼ିକର ସମୀକ୍ଷା ହୋଇଛି । ବିଶେଷ ଭାବରେ ଖଣି ଅଧ୍ୟୁଷିତ ଅଞ୍ଚଳର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଦକ୍ଷତା ବିକାଶ, ମହିଳା ଓ ଶିଶୁ କଲ୍ୟାଣ, କୃଷି, ଗମନାଗମନ, ଭିତ୍ତିଭୂମି ଏବଂ ସ୍ୱଚ୍ଛ ପରିବେଶ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ଓ ଶତପ୍ରତିଶତ ବିଦ୍ୟୁତୀକରଣ, କମ୍ୟୁନିଟି ହେଲଥ୍ ସେଣ୍ଟର ଓ ଆରୋଗ୍ୟ ମନ୍ଦିରଗୁଡ଼ିକର ଶଯ୍ୟା ଓ ଭିତ୍ତିଭୂମି ବୃଦ୍ଧି, ଯୁବପିଢ଼ିଙ୍କ ପାଇଁ ଏଆଇ ଇକୋସିଷ୍ଟମ୍‌ ସହ ‘ୟୁଥ୍-ସେଣ୍ଟ୍ରିକ୍’ ସ୍କିଲିଂ ପ୍ରଦାନ ଏବଂ ବର୍ଜ୍ୟବସ୍ତୁ ସୁପରିଚାଳନା ଭଳି ଆନୁଷଙ୍ଗିକ ବିଷୟ ଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଛି ।

ବୈଠକ ଶେଷରେ ସାଂସଦ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଡବଲ ଏଞ୍ଜିନ୍’ ସରକାର ଖଣି ପ୍ରଭାବିତ ଅଞ୍ଚଳର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ସଙ୍କଳ୍ପବଦ୍ଧ। ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତାରେ ଅନୁଗୋଳ ଜିଲ୍ଲାକୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଏକ ଆଦର୍ଶ ଜିଲ୍ଲାରେ ପରିଣତ କରାଯିବ।

ଏହି ବୈଠକଗୁଡ଼ିକରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ଅନୁଗୋଳ ଜିଲ୍ଲାର ବିଧାୟକବୃନ୍ଦ, ଆଞ୍ଚଳିକ ରାଜସ୍ୱ କମିଶନର, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ଏମସିଏଲ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।