ବିଷମକଟକରେ ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ

ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ରାୟଗଡା, ୧୦/୦୯(ଦକ୍ଷ ବାଥ୍ରା): ଟ୍ରେନ୍ ଇଞ୍ଜିନ୍ ଧକ୍କାରେ ଗୋଟିଏ ଦନ୍ତା ହାତୀର କରୁଣ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ବୁରୁନ୍ଦାବାଡ଼ି ନିକଟସ୍ଥ ବିଷମକଟକ-ଥେରୁବାଲି ରେଳଧାରଣାରେ ଏହି ସଙ୍ଗୀନ ଦୁର୍ଘଟଣା ଘଟିଛି।ମିଳିଥିବା ସୂଚନା ଅନୁସାରେ, ରେଳଧାରଣାର ୩୧୨/୫-୭ କିଲୋମିଟର ଖୁଣ୍ଟ ନିକଟରେ ବିଳମ୍ବିତ ରାତିରେ ଏକ ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍ ଦ୍ରୁତ ଗତିରେ ଆସି ଦନ୍ତା ହାତୀଟିକୁ ସିଧାସଳଖ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ହାତୀଟି ରେଳଧାରଣାରୁ ପ୍ରାୟ ୩ ମିଟର ଦୂରକୁ ଛିଟିକି ପଡ଼ିଥିଲା ଏବଂ ଘଟଣାସ୍ଥଳରେ ହିଁ ତାର ପ୍ରାଣବାୟୁ ଉଡ଼ିଯାଇଥିଲା।ଖବର ପାଇ ଆରପିଏଫ୍ (RPF) ଏବଂ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେବ କଳାହାଣ୍ଡି ଜିଲ୍ଲାରୁ ୪ଟିକିଆ ହାତୀପଲ ବିଷମକଟକ ବ୍ଲକର ଭାତପୁର ଓ ବୁରୁନ୍ଦାବାଡ଼ି ଅଞ୍ଚଳରେ ଚରାବୁଲି କରୁଥିଲେ। ରେଳବାଇ ଓ ବନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।