ଓରାଙ୍ଗଉଟାନ୍ ତସ୍କରୀରେ ଅନ୍ତର୍ଜାତୀୟ ଲିଙ୍କ୍? ଦୀଘାରେ STFର ଖୋଳତାଡ଼
ଷ୍ଟ୍ରେସ୍ ଫ୍ରି ପାଇଁ ଦିଆଯିବ ମ୍ୟୁଜିକ ଥେରାପି
ଭୁବନେଶ୍ୱର, ୧୦/୦୯: ବାଲେଶ୍ୱର ଭୋଗରାଇ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ଉଦ୍ଧାର ଘଟଣା ଏବେ ଆହୁରି ରହସ୍ୟମୟ ହୋଇଛି। ଭାରତରେ ସ୍ୱାଭାବିକ ଭାବେ ଓରାଙ୍ଗଉଟାନ୍ ଦେଖାଯାଆନ୍ତି ନାହିଁ। ଏଭଳି ସ୍ଥିତିରେ ବାଲେଶ୍ୱରର ବିଚିତ୍ରପୁର ଅଞ୍ଚଳର ଜଙ୍ଗଲରେ ୫ଟି ଛୁଆ ଓରାଙ୍ଗଉଟାନ୍ କିପରି ପହଞ୍ଚିଲେ, ତାହାକୁ ନେଇ ତଦନ୍ତ ଜୋରଦାର ହୋଇଛି।
ଏହି ଘଟଣାର ତଦନ୍ତ ଏବେ ଓଡ଼ିଶା ପୁଲିସର ଏସଟିଏଫ ଏବଂ ୱାଇଲ୍ଡ ଲାଇଫ କଣ୍ଟ୍ରୋଲ ବ୍ୟୁରୋ ବା WCCB କରୁଛନ୍ତି। ଓରାଙ୍ଗଉଟାନ୍ଙ୍କୁ କେଉଁଠାରୁ ଅଣାଗଲା, କେଉଁ ରାସ୍ତାରେ ଅଣାଗଲା ଏବଂ ଏହା ପଛରେ କୌଣସି ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ନେଟୱର୍କ ଅଛି କି ନାହିଁ, ସେ ନେଇ ଖୋଳତାଡ଼ ଚାଲିଛି।
ଦୁଇଟି STF ଟିମ୍ ଦୀଘା ଅଞ୍ଚଳରେ ଖୋଳତାଡ଼ କରୁଥିବା ସୂଚନା ମିଳିଛି। ଦୀଘା ଦେଇ ଏହି ଓରାଙ୍ଗଉଟାନ୍ମାନଙ୍କୁ ଭୋଗରାଇ ଅଣାଯାଇଥିଲା କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି।
ଦୀଘାର ବିଭିନ୍ନ ସ୍ଥାନରୁ ସୂଚନା ସଂଗ୍ରହ କରାଯାଉଥିବା ବେଳେ ୪୦ରୁ ଅଧିକ CCTV ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି। ଏହା ସହିତ ଗାଡ଼ି ଚଳାଚଳ, ସନ୍ଦିଗ୍ଧ ଗାଡ଼ିର ଗତିବିଧି ଏବଂ ଓରାଙ୍ଗଉଟାନ୍ମାନଙ୍କ ସମ୍ଭାବ୍ୟ ଯାତାୟାତ ରୁଟ୍କୁ ତନତନ କରି ଯାଞ୍ଚ କରାଯାଉଛି।
ଏହା ପୂର୍ବରୁ ଭୋଗରାଇ ଅଞ୍ଚଳରେ ମଧ୍ୟ ଏକ କଳା SUV/ମହିନ୍ଦ୍ରା ଥାର୍ର ଗତିବିଧି ସିସିଟିଭିରେ ଧରାପଡ଼ିଥିବା ରିପୋର୍ଟ ଆସିଛି। ଫୁଟେଜ୍ରେ ଗାଡ଼ିଟି ରାତି ପ୍ରାୟ ୧୧ଟା ୨୫ରେ ଅଞ୍ଚଳ ଦେଇ ଯାଇଥିବା ଏବଂ ପ୍ରାୟ ୧୫ ମିନିଟ୍ ପରେ ଫେରିଥିବା ଦେଖାଯାଇଥିବା କୁହାଯାଇଛି। ତେବେ ଏହି ଗାଡ଼ିର ଓରାଙ୍ଗଉଟାନ୍ ଘଟଣା ସହ ସିଧାସଳଖ ସମ୍ପର୍କ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।
ତେବେ ଦେଶର ଅନ୍ୟ ସ୍ଥାନରେ ସାମ୍ନାକୁ ଆସିଥିବା ଓରାଙ୍ଗଉଟାନ୍ ସମ୍ପର୍କିତ ମାମଲାଗୁଡ଼ିକୁ ମଧ୍ୟ ଯାଞ୍ଚ କରୁଛନ୍ତି। ବିଶେଷକରି ମଣିପୁର ଏବଂ ମହାରାଷ୍ଟ୍ରରେ ପୂର୍ବରୁ ଆସିଥିବା ମାମଲା ସହ ବାଲେଶ୍ୱର ଘଟଣାର କୌଣସି ସାମଞ୍ଜସ୍ୟ ଅଛି କି ନାହିଁ, ତାହା ତର୍ଜମା କରାଯାଉଛି।
ଅନ୍ୟପଟେ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ଙ୍କୁ ଭୁବନେଶ୍ୱରର ନନ୍ଦନକାନନରେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି। ତିନିଜଣ କେୟାରଟେକର୍ଙ୍କୁ କେବଳ ଏହି ଓରାଙ୍ଗଉଟାନ୍ମାନଙ୍କ ଦେଖାଶୁଣା ପାଇଁ ନିୟୋଜିତ କରାଯାଇଛି।
ଖାଦ୍ୟ ଓ ଯତ୍ନ ସମ୍ପର୍କରେ ମହୀଶୂର ଚିଡ଼ିଆଖାନାର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି। ପ୍ରତି ଦୁଇ ଘଣ୍ଟାରେ ସେମାନଙ୍କୁ ଖାଦ୍ୟ ଦିଆଯାଉଛି। ନନ୍ଦନକାନନରେ ସେମାନଙ୍କୁ ଏସିରେ ରଖାଯାଇଛି।
ଉଦ୍ଧାର ସମୟର ଚାପ ଓ ପରିବେଶ ପରିବର୍ତ୍ତନ ଯୋଗୁଁ ସେମାନେ ଷ୍ଟ୍ରେସ୍ରେ ଥିବାରୁ ତୁରନ୍ତ ନମୁନା ନେବାକୁ ବିଶେଷଜ୍ଞମାନେ ଅନୁମତି ଦେଇନାହାନ୍ତି। ପ୍ରାୟ ୧୦ ଦିନ ପରେ ସେମାନେ ଷ୍ଟ୍ରେସ୍ ଫ୍ରି ହେବା ପରେ ନମୁନା ସଂଗ୍ରହ କରାଯିବ। ଡିଏନଏ ଟେଷ୍ଟ ପରେ ଓରାଙ୍ଗଉଟାନଙ୍କ ବୟସ ଓ ବ୍ରିଡ ଜଣାପଡ଼ିବ।
ସେହିପରି ମହୀଶୂର ଚିଡ଼ିଆଖାନାର ବିଶେଷଜ୍ଞମାନେ ଭିଡିଓ କନଫରେନ୍ସିଂ ଜରିଆରେ ଓରାଙ୍ଗଉଟାନ୍ମାନଙ୍କୁ ଦେଖି ସେମାନଙ୍କ ବ୍ୟବହାର, ଖାଦ୍ୟ ଏବଂ ଯତ୍ନ ନେଇ ପରାମର୍ଶ ଦେବେ।