ଭାରତ ଆସିବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ

ଜିନପିଙ୍ଗ ଗସ୍ତ ନେଇ ସ୍ପଷ୍ଟ କଲା ଚୀନ ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୧୦/୦୯: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ୧୨ ଓ ୧୩ ତାରିଖରେ ଭାରତରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ। ଏହା ଦୀର୍ଘ ୭ ବର୍ଷ ପରେ ତାଙ୍କର ଭାରତ ଗସ୍ତ ହେବ। ଚୀନ ବୈଦେଶିକ ମନ୍ତ୍ରାଳୟ ବୁଧବାର (୧୦ ସେପ୍ଟେମ୍ବର ୨୦୨୬) ଏହା ସରକାରୀ ଭାବରେ ଘୋଷଣା କରିଛି। ମନ୍ତ୍ରାଳୟର ଏକ ପୋଷ୍ଟରେ କୁହାଯାଇଛି: “ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ଜି ଜିନପିଙ୍ଗ ନୂଆଦିଲ୍ଲୀରେ ୧୨ରୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ।”

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ୧୨ ଓ ୧୩ ସେପ୍ଟେମ୍ବର ୨୦୨୬ରେ ଏହି ସମ୍ମିଳନୀ ହେବ। ଭାରତ ଏହି ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଛି। ଥିମ୍ ହେଉଛି “ସହନଶୀଳତା, ନବୀକରଣ, ସହଯୋଗ ଓ ସ୍ଥାୟୀତ୍ୱ ପାଇଁ ନିର୍ମାଣ।

୨୦୧୯ ମାମଲ୍ଲାପୁରମ୍ (ତାମିଲନାଡ଼ୁ)ରେ ଅନୁଷ୍ଠିତ ଶିଖର ସମ୍ମିଳନୀ ଯୋଗ ଦେଇଥିଲେ ସି ଜିନପିଙ୍ଗ। ୭ ବର୍ଷ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ପୂର୍ବରୁ ୨୦୧୪ରେ ପ୍ରଥମ ଗସ୍ତ କରିଥିଲେ। ଏହା ପରେ ଓ ୨୦୧୬ରେ ଗୋଆ ବ୍ରିକ୍ସ ସମ୍ମିଳନୀ ଯୋଗ ଦେବା ପାଇଁ ଭାରତ ଆସିଥିଲେ। ତେବେ ୨୦୨୦ ଗଲୱାନ ଉପତ୍ୟକା ଘଟଣା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉତ୍ତେଜିତ ହୋଇଥିଲା, ତେଣୁ ଏହି ଗସ୍ତ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ଅଛି। ସୀମା ଶାନ୍ତି, ବାଣିଜ୍ୟ, ଅର୍ଥନୈତିକ ସହଯୋଗ ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇପାରେ।

ବର୍ତ୍ତମାନ ବ୍ରିକ୍ସରେ ୧୧ଟି ପୂର୍ଣ୍ଣ ସଦସ୍ୟ ଦେଶ ଅଛନ୍ତି। ସେଗୁଡ଼ିକ ହେଲା ବ୍ରାଜିଲ୍, ରୁଷିଆ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ମିସର, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା ସହିତ ଅନ୍ୟ ଅନେକ ନେତା ଯୋଗ ଦେବେ।

ସମ୍ମିଳନୀରେ ଗ୍ଲୋବାଲ୍ ଗଭର୍ନାନ୍ସ, ବହୁପାକ୍ଷିକତା, ବାଣିଜ୍ୟ, ପ୍ରଯୁକ୍ତି, ଶକ୍ତି ସୁରକ୍ଷା, ଖାଦ୍ୟ ସୁରକ୍ଷା ଆଦି ବିଷୟରେ ଆଲୋଚନା ହେବ। ଭାରତ ଏହାକୁ ଗ୍ଲୋବାଲ୍ ସାଉଥ୍ ପାଇଁ ଏକ “ବ୍ରିଜ୍ ବିଲ୍ଡର୍” ଭାବରେ ଉପସ୍ଥାପନ କରିବାକୁ ଚାହୁଁଛି।