ଜାହାଜରେ ମୃତ୍ୟୁର ତାଣ୍ଡବ; ୨୦ ଜଣ ଜୀବନ୍ତ ଦଗ୍ଧ

ବିଦେଶୀ କାର୍ଗୋ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ

ବେଜିଂ/କିଙ୍ଗଡାଓ, ୧୦/୦୯: ଚୀନର ପୂର୍ବାଞ୍ଚଳର କିଙ୍ଗଡାଓ ବନ୍ଦରରେ ବେହାଇ ସିପବିଲ୍ଡିଙ୍ଗ କମ୍ପାନୀରେ ଥିବା ଏକ ବିଦେଶୀ କାର୍ଗୋ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଲାଗିବାରୁ ୨୦ ଜଣ ପ୍ରାଣ ହରାଇଛନ୍ତି ଏବଂ ୫ ଜଣ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି।

ଶାଣ୍ଡୋଙ୍ଗ ପ୍ରଦେଶର କିଙ୍ଗଡାଓ ବେହାଇ ସିପୟାର୍ଡରେ ମରାମତି କାର୍ଯ୍ୟ ଚାଲୁଥିବା ସମୟରେ ପ୍ରାୟ ୧୧:୧୫ ପୂର୍ବାହ୍ନରେ ଜାହାଜରେ ନିଆଁ ଲାଗିଥିଲା। ଏହି ଜାହାଜରେ ସେତେବେଳେ ମୋଟ ୪୨ ଜଣ ଲୋକ ଥିଲେ। ଏଥିମଧ୍ୟରୁ ୧୨ ଜଣ ନିରାପଦରେ ବାହାରି ଆସିପାରିଛନ୍ତି ଏବଂ ୫ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆହତଙ୍କ ଅବସ୍ଥା ସ୍ଥିର ରହିଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ୨୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ୫ ଜଣ ଏପର୍ଯ୍ୟନ୍ତ ମିଳିନାହାନ୍ତି।

‘ଓସିଆନ୍ ମେଲୋଡି’ ନାମକ ଏହି ଜାହାଜଟିରେ ଲାଇବେରିଆ ପତାକା ଲାଗିଥିଲା। ପ୍ରାୟ ୨୦ ବର୍ଷ ପୁରୁଣା ଏହି ଜାହାଜ ଅଗଷ୍ଟ ୩୧ରେ କିଙ୍ଗଡାଓ ପହଞ୍ଚି ମରାମତି ପାଇଁ ସେଠାରେ ରହିଥିଲା।

ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗ ଏହି ଘଟଣା ପରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର ପାଇଁ ତୀବ୍ର ସନ୍ଧାନ କାର୍ଯ୍ୟ ଚଳାଇବା, ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ମଧ୍ୟ ଫସିଥିବା ଲୋକଙ୍କ ଉଦ୍ଧାର ଓ ଆହତଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଛନ୍ତି।

ତେବେ ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।