ଦଶପଲ୍ଲା, ୧୧/୦୯: ଦଶପଲ୍ଲା ବ୍ଲକ ପୋଇବାଡ଼ି ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିବା ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ଘୋର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସୂଚନା ଯୋଗ୍ଯ ଯେ, ଏହି ଆରୋଗ୍ୟ ମନ୍ଦିରରେ ଦୀର୍ଘ ଦିନ ହେବ ବିଦ୍ୟୁତ୍ ସଂଯୋଗ ନଥିବାରୁ ଚିକିତ୍ସା ସେବା ପ୍ରଭାବିତ ହେଉଛି। ବିଶେଷ କରି ରୋଗୀ ଓ ସ୍ୱାସ୍ଥ୍ୟକର୍ମୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ପାଚେରୀ ନଥିବାରୁ ଏହା ଅସୁରକ୍ଷିତ ହୋଇ ପଡିବା ସହିତ ଗୋରୁଗାଈ ଓ ବୁଲା କୁକୁରଙ୍କ ସମେତ ବହୁ ଜନ୍ତୁ ଆରୋଗ୍ୟ ମନ୍ଦିର ପରିସରରେ ପ୍ରବେଶ କରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି। ଏଥିସହିତ ଅନାବନା ଗଛରେ ଚତୁଃପାର୍ଶ୍ୱ ଆଚ୍ଛାଦିତ ହୋଇ ଗଲାଣି | ଏସବୁ ଅବ୍ୟବସ୍ଥା ଦୁରୀକରଣ କରି ଆରୋଗ୍ୟ ମନ୍ଦିରର ପାଚେରୀ ନିର୍ମାଣ ଓ ବିଦ୍ୟୁତ୍ ସଂଯୋଗ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ତଥା ପ୍ରଶାସନ ଦୃଷ୍ଟି ଦେବା ନିମନ୍ତେ ଦାବି ହେଉଛି |