ମାନବତା ପ୍ରଥମ: ବିଶ୍ୱ ନେତାମାନଙ୍କୁ ମୋଦିଙ୍କ ଶାନ୍ତି ବାର୍ତ୍ତା

‘ରୁଲ୍ ଟେକର’ରୁ ‘ରୁଲ୍ ସେପର’ ହେଉ ଗ୍ଲୋବାଲ ସାଉଥ୍‌

ନୂଆଦିଲ୍ଲୀ, ୧୨/୦୯: ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ୧୮ତମ ବ୍ରିକ୍ସ ସମ୍ମିଳନୀ। ଏହି ସମ୍ମିଳନୀରେ ବିଶ୍ୱନେତାମାନେ ଯୋଗ ଦେଇଛନ୍ତି। ବିଶ୍ୱ ନେତାଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମିଳନୀର ଶାନ୍ତି, ସହଯୋଗ ଓ ମାନବତାର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ମାନବତା ପ୍ରଥମ’ ନୀତିକୁ ଆଧାର କରି ବ୍ରିକ୍ସକୁ ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ ଓ ପ୍ରଭାବଶାଳୀ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱ ଶାସନ ବ୍ୟବସ୍ଥାରେ ସଂସ୍କାର, ଜାତିସଂଘ ସୁରକ୍ଷା ପରିଷଦରେ ଅଧିକ ପ୍ରତିନିଧିତ୍ୱ, ବିଶ୍ୱ ଆର୍ଥିକ ସୁଶାସନ ଓ ସମୁଦ୍ରରେ ନାବିକଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବ୍ରିକ୍ସର ଆଗାମୀ ଯାତ୍ରା ‘ମାନବତା ପ୍ରଥମ’ ଭାବନାକୁ କେନ୍ଦ୍ରରେ ରଖି ଆଗେଇବା ଉଚିତ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ମୁଖ୍ୟ ଭାବନା ମଧ୍ୟ ‘ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶ ପାଇଁ ନିର୍ମାଣ।’

ବ୍ରିକ୍ସ ଏବେ କେବଳ ଆର୍ଥିକ ସହଯୋଗର ମଞ୍ଚ ନୁହେଁ; ବିଶ୍ୱର ଦକ୍ଷିଣ ଭାଗର ଦେଶଗୁଡ଼ିକର ସ୍ୱରକୁ ଅଧିକ ଶକ୍ତିଶାଳୀ କରିବାର ଏକ ମଞ୍ଚ ଭାବେ ଏହାର ଭୂମିକା ବଢ଼ିଛି। ୨୦୦୬ରେ ୪ଟି ଦେଶରୁ ଆରମ୍ଭ ହୋଇଥିବା ବ୍ରିକ୍ସ ଏବେ ସଦସ୍ୟ ଓ ପାର୍ଟନର ଦେଶକୁ ମିଶାଇ ୨୧ ଦେଶର ବଡ଼ ପରିବାରରେ ପରିଣତ ହୋଇଛି। ଏହି ଦେଶଗୁଡ଼ିକ ବିଶ୍ୱ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ, ବିଶ୍ୱ ଜିଡିପିର ପ୍ରାୟ ୪୦ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ୨୫ ପ୍ରତିଶତରୁ ଅଧିକକୁ ପ୍ରତିନିଧିତ୍ୱ କରୁଛନ୍ତି।

ବ୍ରିକ୍ସର ୨୦ ବର୍ଷ ପୂର୍ତ୍ତି ଅବସରରେ ମୋଦି କହିଛନ୍ତି ଯେ ଆଗାମୀ ୨୦ ବର୍ଷ ପାଇଁ ଗୋଷ୍ଠୀକୁ ନୂଆ ଓ ଉଚ୍ଚାକାଂକ୍ଷୀ କାର୍ଯ୍ୟସୂଚୀ ନେଇ କାମ କରିବାକୁ ପଡ଼ିବ। ଏଥିପାଇଁ ପ୍ରଥମେ ବ୍ରିକ୍ସର ନିଜସ୍ୱ ଆଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀକୁ ଅଧିକ ମଜବୁତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ମୋଦି ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଗଠନର ପ୍ରସ୍ତାବ ଦେଇଛନ୍ତି। ଏହା ମାଧ୍ୟମରେ ଗୋଟିଏ ବର୍ଷର ଅଧ୍ୟକ୍ଷତା ସରିଗଲେ ମଧ୍ୟ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଓ ପଦକ୍ଷେପର କାର୍ଯ୍ୟାନ୍ୱୟନ ଜାରି ରହିବ। ‘ଟ୍ରୋଇକା’ ମାଧ୍ୟମରେ ସମସ୍ତ ପଦକ୍ଷେପ ଓ ଫଳାଫଳର ଫଲୋ-ଅପ୍ ସମ୍ଭବ ହେବ। ଏହା ସହ ଏକ ଡିଜିଟାଲ୍ ରିପୋଜିଟୋରୀ ମାଧ୍ୟମରେ କେଉଁ ନିଷ୍ପତ୍ତି ନିଆଗଲା, କାହାକୁ କେଉଁ ଦାୟିତ୍ୱ ଦିଆଗଲା ଓ କେତେ ସମୟ ମଧ୍ୟରେ କାମ ଶେଷ ହେବ—ତାହାର ଟ୍ରାକିଂ କରାଯାଇପାରିବ।

ବିଶ୍ୱ ଶାସନ ବ୍ୟବସ୍ଥାକୁ ନେଇ ମୋଦି କହିଛନ୍ତି, ଦୀର୍ଘଦିନ ଧରି କିଛି ଶକ୍ତିଶାଳୀ ଦେଶ ନିଷ୍ପତ୍ତି ନେଉଛନ୍ତି ଓ ଅନ୍ୟ ଦେଶଗୁଡ଼ିକ କେବଳ ସେହି ନିୟମକୁ ଅନୁସରଣ କରୁଛନ୍ତି। ଏହି ‘ପିରାମିଡ୍ ଅଫ୍ ପ୍ରିଭିଲେଜ୍’ ବା ବିଶେଷାଧିକାରର ପିରାମିଡ୍‌କୁ ଭାଙ୍ଗି ଗ୍ଲୋବାଲ୍ ସାଉଥ୍‌ର ଦେଶଗୁଡ଼ିକୁ କେବଳ ‘ନିୟମ ମାନୁଥିବା’ ନୁହେଁ, ‘ନିୟମ ଗଠନକାରୀ’ ହେବା ଦରକାର ବୋଲି ସେ କହିଛନ୍ତି।

ମୋଦି ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ପାଇଁ ଦାବି ଦୋହରାଇଛନ୍ତି। ବର୍ତ୍ତମାନର ବିଶ୍ୱ ବାସ୍ତବତାକୁ ଆଧାର କରି ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ଅଧିକ ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଓ ନ୍ୟାୟସଙ୍ଗତ ନିୟମ ପ୍ରଣୟନ ଆବଶ୍ୟକ ବୋଲି ସେ କହିଛନ୍ତି। ସୁରକ୍ଷା ପରିଷଦ ସଂସ୍କାର ଆଲୋଚନା ଆଉ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲିବା ଉଚିତ ନୁହେଁ; ଏହାର ନିର୍ଦ୍ଦିଷ୍ଟ ସମୟସୀମା ରହି ଦୃଶ୍ୟମାନ ଫଳାଫଳ ଆସିବା ଦରକାର ବୋଲି ମୋଦି ମତ ରଖିଛନ୍ତି।

ମୋଦି କହିଛନ୍ତି, ଯେଉଁ ଦେଶଗୁଡ଼ିକ ବିଶ୍ୱ ଆର୍ଥିକ ସମୃଦ୍ଧିକୁ ଆଗେଇ ନେଉଛନ୍ତି, ସେମାନଙ୍କୁ ବିଶ୍ୱ ଆର୍ଥିକ ସୁଶାସନରେ ମଧ୍ୟ ଯଥୋଚିତ ଭୂମିକା ମିଳିବା ଦରକାର। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ବିଶ୍ୱ ବ୍ୟାଙ୍କ ଭଳି ଆନ୍ତର୍ଜାତିକ ଆର୍ଥିକ ସଂସ୍ଥାରେ ଉଦୀୟମାନ ଓ ବିକାଶଶୀଳ ଦେଶଗୁଡ଼ିକର ପ୍ରତିନିଧିତ୍ୱ ବଢ଼ିବା ଦରକାର।

ପ୍ରଧାନମନ୍ତ୍ରୀ ମୋଦି ସମୁଦ୍ରରେ ନାବିକଙ୍କ ସୁରକ୍ଷା ଉପରେ ମଧ୍ୟ ଜୋର ଦେଇଛନ୍ତି। ସେ କହିଛନ୍ତି, ସମୁଦ୍ରରେ ନାବିକମାନେ ବିଶ୍ୱ ବାଣିଜ୍ୟରେ ବିପୁଳ ଅବଦାନ ରଖନ୍ତି। କିନ୍ତୁ କଷ୍ଟକର ସମୟରେ ସେମାନେ ପ୍ରାୟତଃ ସହାୟତାରୁ ବଞ୍ଚିତ ହେଉଛନ୍ତି। ସିଫେରର୍ସ ଏମର୍ଜେନ୍ସି ସପୋର୍ଟ ନେଟୱାର୍କ’ ଗଠନ ପାଇଁ ମୁଁ ପ୍ରସ୍ତାବ ଦେଉଛି। ଏହା ସମ୍ପୃକ୍ତ ଦେଶର ସାମୁଦ୍ରିକ କର୍ତ୍ତୃପକ୍ଷ ଓ କୂଟନୈତିକ ମିଶନକୁ ସଂଯୁକ୍ତ କରିବ। ଫଳରେ ବିପଦ ସୂଚନା, ପରିବାରକୁ ସୂଚନା ଓ ନିରାପତ୍ତା ସହଜ ହେବ।

ବ୍ରିକ୍ସ ମଞ୍ଚରେ ମୋଦିଙ୍କ ତାଙ୍କ ବାର୍ତ୍ତାରେ ସଂଘର୍ଷର ସମାଧାନ ପାଇଁ ଆଲୋଚନା ଓ କୂଟନୀତି ଜରୁରୀ ବୋଲି ସଙ୍କେତ ଦେଇଛନ୍ତି।